Fawer

ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସ୍ତରୀୟ ରଗବୀ ଟୁର୍ଣ୍ଣାମେଣ୍ଟରେ ଭାଗନେବେ ମୟୁରଭଞ୍ଜର ସନ୍ଧ୍ୟାରାଣୀ

sports State

ବାରିପଦା : ଚଳିତ ମାସ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସ୍ତରୀୟ ରଗବୀ ପ୍ରତିଯୋଗିତାରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜର ସନ୍ଧ୍ୟାରାଣୀ ଟୁଡୁ I ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଲକ୍ଷ୍ମୀଧର ଟୁଡୁ ଓ ଫୁଲମଣୀ ଟୁଡୁଙ୍କ ଝିଅ ସନ୍ଧ୍ୟା ରାଣୀଭୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ କୋଚ ରୁପାଲୀ ସୋରେନଙ୍କ ତତ୍ୱାବଧାନରେ ରଗବୀ ଖେଳ ଆରମ୍ଭ କରିଥିଲେ I ହାଇସ୍କୁଲ ପରୀକ୍ଷାରେ ପାସ କଲାପରେ ଆଉ ଆଗକୁ ବଢିବାର ଆଶା ମଉଳି ଯାଉଥିବାବେଳେ ଜାତୀୟ ରଗବୀ ଖେଳାଳି ଦିବ୍ୟରଞ୍ଜନ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀରେ ରହି ଖେଳ ଜାରି ରଖିଥିଲେ I ପରବର୍ତ୍ତୀ ସମୟରେ ନିଜ ପ୍ରତିଭା ବଳରେ ବହୁବାର ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିବା ସହ ୨୦୨୩ ମସିହାରେ ଓଡିଶା ପାଇଁ ସ୍ବର୍ଣ୍ଣ ପଦକ ଆଣିବାରେ ପ୍ରମୁଖ ଭୂମିକା ହାସଲ କରିଥିଲେ I ବର୍ତ୍ତମାନ ସେ ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ାବୃତ୍ତି ମାଧ୍ୟମରେ ଶାରୀରିକ ଶିକ୍ଷା ବିଭାଗରେ ମାଗଣାରେ ଶିକ୍ଷା ଲାଭ କରୁଛନ୍ତି I ଖବର ପାଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, କୋଚ ରୁପାଲୀ ସୋରେନ, ବାରିପଦା ଶାଖା ପରିଚାଳକ ରଣଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର, ତରଣୀସେନ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସଙ୍କ ସମେତ ବହୁ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି |