Accident1

ପରସ୍ପରକୁ ଧକ୍କା ଦେଲେ ଏକାଥରେ ୭ଟି ଗାଡି

State

କେନ୍ଦୁଝର  : ରାସ୍ତା ଉପରେ ଏ ଚିତ୍ରକୁ ଯିଏ ଦେଖୁଥିଲା ଲୋମ ଟାଙ୍କୁରୀ ଯାଉଥିଲା ଭୟରେ । କେହି କେବେ ହୁଏତ ଆଖିରେ ଦେଖିନଥିବେ ଏତେ ବଡ ଦୁର୍ଘଟଣା । ଗୋଟେ କି ଦୁଇଟି ନୁହେଁ ଏକାଥରେ ୭ଟି ଗାଡି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ହେଲେ ସତରେ ଏମିତି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି । ଆପଣ ବି ଥରେ ଦେଖନ୍ତୁ ଏ ଗାଡି ସବୁକୁ କଣ ଅବସ୍ଥା ହୋଇଛି, ଏ ଗାଡିକୁ ଦେଖି ଅନୁମାନ ଲଗାଇ ପାରୁଥିବେ କେତେ ଭୟଙ୍କର ଭାବେ ଦୁର୍ଘଟଣା ଘଟିଛି । କେନ୍ଦୁଝରରେ ସିରିଜ୍ ସଡ଼କ ଦୁର୍ଘଟଣାରେ ୨ ଜଣ ମୃତ ଓ ଜଣେ ଗୁରୁତର । ସମ୍ପର୍କୀୟ ରାହା ଛାଡି କାନ୍ଦୁଛନ୍ତି । ଜଣଙ୍କର ତ ପୁତୁରା ଚାଲିଯାଇଛି । ଯାହାକୁ ଦେଖି ସେ ନିଜକୁ ସମ୍ଭାଳି ପାରୁନାହାଁନ୍ତି ।

ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ପୁତୁଲୁପାଣି ଛକରେ ଘଟିଛି ଏହି ଦୁର୍ଘଟଣା । ଏଠାରେ ପ୍ରତିଦିନ ବେଆଇନ୍ ପାର୍କିଙ୍ଗ ହେଉଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ଆଜି ଏଠାରେ ଦୁଇଟି ଟ୍ରକ୍ ସହ ୨ଟି କାର୍ ଓ ୩ ବାଇକ୍ ପରସ୍ପର ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଯାଇଛି । ଜଣେ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ମାନେ ସ୍ଥାନୀୟ ଅଞ୍ଚଳ ହୋଇଥିବା ବେଳେ ସେମାନେ କେନ୍ଦୁଝର ଅଭିମୁଖେ କୌଣସି କାର୍ଯ୍ୟ ପାଇଁ ଆସୁଥିବା ନେଇ ସୂଚନା ମିଳିଛି ।

ତେବେ ସବୁଠୁ ଦୁଃଖର କଥା ହେଉଛି ଗତକାଲି ରାତିରେ ଏଠାରେ ଦୁର୍ଘଟଣା ଘଟି ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିବ କି ନାହିଁ ପୁଣି ସେହି ଜାଗାରେ ହୋଇଛି ଏଭଳି ଏକ ଲୋମଟାଙ୍କୁରା ଦୁର୍ଘଟଣା । ବାରମ୍ବାର ଏହି ସ୍ଥାନରେ ଅନେକ ଲୋକଙ୍କର ଜୀବନ ଗଲାଣି ବୋଲି କହୁଛନ୍ତି ଲୋକେ ।