Image 1717583385

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡନାଭିସ୍‌

National & International

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଏଯାଏ ଗ୍ରହଣ ହୋଇ ନାହିଁ। ୨୦୧୪ରୁ ୨୦୧୯ ଯାଏ ମୁଖ୍ୟମନ୍ତ୍ରୀ ପଦରେ ଥିବା ଫଡନାଭିସ କହିଛନ୍ତି, “ମୋତେ ସରକାରୀ ଦାୟିତ୍ୱରୁ ମୁକ୍ତି ଦେବାକୁ ମୁଁ ମୋର ଟପ୍‌ ବସଙ୍କୁ ଅନୁରୋଧ କରୁଛି। ଏହାଦ୍ୱାରା ମୁଁ ବାହାରେ ରହି ଦଳ ପାଇଁ କାମ କରିପାରିବି।”

ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଫଡନାଭିସ ଏପରି ପଦକ୍ଷେପ ନେଇଛନ୍ତି। ୨୦୧୯ରେ ବିଜେପି ଓ ବିଭାଜିତ ହୋଇ ନଥିବା ଉଦ୍ଧବ ଠାକରେଙ୍କ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ବିଜେପି ୨୫ଟି ଆସନରେ ନିର୍ବାଚନ ଲଢ଼ି ୨୩ଟିରେ ଜିତିଥିଲା। ସେହିପରି ଶିବସେନା ୧୮ଟି ଆସନରେ ଜିତିଥିଲା।

କିନ୍ତୁ ୨୦୨୪ରେ ସ୍ଥିତି ବଦଳିଛି। ଶରଦ ପାୱାରଙ୍କ ଏନସିପି ଓ କଂଗ୍ରେସ ସହ ମିଶି ଉଦ୍ଧବ ସେନା ଲୋକସଭା ନିର୍ବାଚନ ଲଢ଼ିଥିଲା। ବିଜେପି ଏକନାଥ ସିନ୍ଦେଙ୍କ ସେନା ଓ ଅଜିତ ପାୱାରଙ୍କ ଏନସିପି ସହ ମେଣ୍ଟ କରିଥିଲା।

ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଶରଦ ପାୱାର ୮ଟି ଜିତିଥିବା ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ୯ଟି ଓ କଂଗ୍ରେସ ୧୩ଟି ସ୍ଥାନରେ ବାଜିମାତ କରିଛି।

ବିଜେପି ଓ ଏହାର ସହଯୋଗୀମାନେ ୧୭ଟି ଆସନ ଜିତିଛନ୍ତି। ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି। ଦଳ ଭଲ ପ୍ରଦର୍ଶନ ନ କରିଥିବାରୁ ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।