Ex

ତାଜ୍‌ ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ

National & International

ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ୍‌ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ତାଜ୍‌ ଏକ୍ସପ୍ରେସ ଟ୍ରେନ (୨୨୮୦) ଓଖଲା-ତୁଗଲକାବାଦ ବ୍ଲକ ସେକ୍ସନରେ ପହଞ୍ଚିଥିଲା, ସେତେବେଳେ ଗୋଟିଏ କୋଚ୍‌ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସତର୍କତାମୂଳକ ଭାବେ ଟ୍ରେନ୍‌ର ଅବଶିଷ୍ଟ ବଗିକୁ ଲଗେଜ୍ କମ୍ପାର୍ଟମେଣ୍ଟରୁ ଅଲଗା କରି ଦିଆଯାଇଥିଲା । ଦିଲ୍ଲୀ ଡିଆର୍‌ଏମ୍‌ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି । ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଟ୍ରେନ୍ କୋଚ୍‌ରେ ଭୟଙ୍କର ଭାବେ ନିଆଁ ଲାଗିଥିବାର ଦେଖାଯାଉଛି । ଟ୍ରେନ୍‌ର ୪ଟି କୋଚ୍‌ରେ ନିଆଁ ଲାଗିଛି ।

ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି ଯେ ଆମକୁ ଅପରାହ୍ନ ୪ଟା ୨୪ ମିନିଟ୍‌ରେ ତାଜ୍‌ ଏକ୍ସପ୍ରେସ୍‌ର ୪ଟି ବଗିରେ ନିଆଁ ଲାଗିଥିବାର ସୂଚନା ମିଳିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ୮ଟି ଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରହିଛି । ଅଧିକାରୀଙ୍କ ମୁତାବକ, ଏ ପର୍ଯ୍ୟନ୍ତ କୌଣସି ମୃତାହତର ଖବର ନାହିଁ ।

କହି ରଖୁଛୁ, ନିକଟରେ ମୁମ୍ବାଇରୁ ଗୋରଖପୁରକୁ ଯାଉଥିବା ଗୋଦାନ୍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଟ୍ରେନ୍ ଯେତେବେଳେ ମୁମ୍ବାଇରୁ ଯାତ୍ରା ଆରମ୍ଭ କରି ମହାରାଷ୍ଟ୍ରର ନାସିକ୍‌ ରୋଡ୍ ଷ୍ଟେସନ ନିକଟରେ ପହଞ୍ଚିଥିଲା, ସେତେବେଳେ ହଠାତ୍ ଗୋଦାନ (ମୁମ୍ବାଇ LTT-ଗୋରଖପୁର) ଏକ୍ସପ୍ରେସର ଶେଷ ଲଗେଜ୍ ବଗିରେ ନିଆଁ ଲାଗିଯାଇଥିଲା ।

ନିଆଁ ଲାଗିବା ବିଷୟରେ ସୂଚନା ପାଇବା କ୍ଷଣି ସତର୍କତା ଅବଲମ୍ବନ କରି ଟ୍ରେନ୍‌ର ବାକି ବଗିଗୁଡ଼ିକୁ ଲଗେଜ୍ କମ୍ପାର୍ଟମେଣ୍ଟରୁ ଅଲଗା କରାଯାଇଥିଲା । ସୌଭାଗ୍ୟବଶତଃ, ନିଆଁ କୌଣସି ଯାତ୍ରୀ ବଗିରେ ଲାଗି ନ ଥିଲା । ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରି ନେଇଥିଲେ ।