Kiopm9e Voting Heat 625x300 23 April 24

ଶେଷ ପର୍ଯ୍ୟୟ ମତଦାନ: ପୋଲିଂ କର୍ମଚାରୀ-ମତଦାତାଙ୍କୁ ଅସ୍ତବ୍ୟସ୍ତ କରିପାରେ ଅସହ୍ୟ ତାତି, ଗୁଳୁଗୁଳି

State

ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହ ଭିତରେ ଶନିବାର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ରାଜ୍ୟରେ ଅଂଶୁଘାତର ଆତଙ୍କ ଖେଳିଯାଇଥିଲା ବେଳେ ଭୋଟ ପାଇଁ ଗ୍ରୀଷ୍ମ ପ୍ରବାହ ବଡ ଚ୍ୟାଲେଞ୍ଜ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଭୋଟ୍ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଏହି ଅବସ୍ଥା ଦେଖିଲେ, ନିର୍ବାଚନୀ ପ୍ରକ୍ରିୟା କେତେ ଆହ୍ୱାନପୂର୍ଣ୍ଣ ହେବାକୁ ଯାଉଛି, ତାହା ଜଳଜଳ ଦେଖାଯାଉଛି। ‌ପୋଲିଂ ବୁଥ୍ ଅଭିମୁଖେ ଯାଉଥିବା ଅଧିକାରୀ ଓ କର୍ମଚାରୀ, ବୁଥ୍‌ରେ ପହଂଚିବା ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ହୋଇପଡ଼ିବାରୁ ଅତି ସଂକଟପୂର୍ଣ୍ଣ ଅବସ୍ଥାରେ ପହଂଚାଯାଇଛି।
ଯାଜପୁର ଜିଲ୍ଲାରେ ହେବାକୁଥିବା ମତଦାନ ପାଇଁ ଏନସି କଲେଜରେ ପ୍ରାୟ ୧୨ ହଜାର ପୋଲିଂ କର୍ମଚାରୀ ଏକାଠି ହୋଇଥିଲେ। ଇଭିଏମ୍ ଓ ମତାଦାନ ସାମଗ୍ରୀ ନେଇ ଯାଉଥିବା ବେଳେ ୧୦ ଜଣ ପୋଲିଂ କର୍ମଚାରୀ ଅଚାନକ୍ ଅସୁସ୍ଥ ହୋଇ ପଡିଯାଇଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେଣୁ ସ୍କୁଲର ବନ୍ଦ କୋଠରୀ ଭିତରେ ମତଦାନ ପରିଚାଳନା କରିବା ଆହ୍ୱାନ ସୃଷ୍ଟି କରିପାରେ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି। ଆଉ ଗୋଟେ ପଟେ ଭୋଟ୍ ପଡ଼ିବାକୁ ଥିବା ଉପକୂଳ ଓଡ଼ିଶାରେ ଗରମ ସହ ଆର୍ଦ୍ରତା ୮୦ ପ୍ରତିଶତରୁ ଅଧିକ ରହିବା ଆଶଙ୍କା ରହିଛି। ବିଶେଷ କରି ଭୋଟ୍ ପଡ଼ିବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସମେତ କଟକ, ଗଂଜାମ, ଗଜପତି, ପୁରୀ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର।
ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ୬ଟି ଲୋକସଭାରେ ଭୋଟ୍ ପଡ଼ିବାକୁ ଯାଉଛି। ତେଣୁ ଶହ ଶହ ପୁଲିଂ ଅଧିକାରୀ ଓ କର୍ମଚାରୀ ଏବଂ ପ୍ରାୟ ୧ କୋଟି ଭୋଟର୍ଙ୍କୁ ନେଇ ନିର୍ବାଚନ ପରିଚାଳାନା କରିବା ବହୁତ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି।