Onn 3

ସମୟଚକ୍ରରେ ହଜିଗଲେଣି ଗାଁ ଗହଳିରେ ଦେଖା ଯାଉଥିବା ପକ୍ଷୀ, ଆଉ ଦେଖିବାକୁ ମିଳୁ ନାହାନ୍ତି ଘରଚଟିଆ

State

ଆଗରପଡ଼ା: ଆଧୁନିକତ୍ୱର ପରିଭାଷାରେ ହଜିଗଲାଣି ବହୁ ପୁରାତନ ସ୍ମୃତି । ସେଥି ମଧ୍ୟରୁ ହଜିଗଲେଣି ଗାଁ ଗହଳିରେ ଦେଖା ଯାଉଥିବା ପକ୍ଷୀ । ପୂର୍ବରୁ ଗାଁ ଗହଳି ମାନଙ୍କରେ ବିଭିନ୍ନ ପ୍ରକାରର ପକ୍ଷୀ ଦେଖାଯାଉଥିଲେ । ତାହା ଆଜି ଇତିହାସ ପାଲଟିଗଲାଣି । ବର୍ତ୍ତମାନ ସମୟରେ ପିଲାମାନଙ୍କୁ ସେ ସବୁ ପକ୍ଷୀମାନଙ୍କ ସଂପର୍କରେ କହିଲେ ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଉକ୍ତ ପକ୍ଷୀ ମାନଙ୍କ ମଧ୍ୟରୁ ଘରଚଟିଆ ଅନ୍ୟତମ । ଘର ମାନଙ୍କ ମଧ୍ୟରେ ବସାବାନ୍ଧି ଘରଚଟିଆ ରହିଥାଏ । ବାଦାମ ରଙ୍ଗର ଛୋଟିଆ ଚଢେଇ ଟିଏ, ଘରେ ରହୁଥିବାରୁ ଲୋକ ମାନଙ୍କ ସହ ବେଶ ପରିଚିତ । କିନ୍ତୁ ସମୟ ଚକ୍ରରେ ଆଉ ଦେଖା ଯାଉନାହାନ୍ତି ସେମାନେ । ଘରଚଟିଆଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ସେମାନଙ୍କ ସୁରକ୍ଷା ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ‘ବିଶ୍ୱ ଘରଚଟିଆ’ ଭାବେ ପାଳନ କରାଯାଉଛି । କିନ୍ତୁ ଏହା କେବଳ କାଗଜ କଲମରେ ସୀମିତ ରହି ଯାଉଥିବା ଜଣାପଡ଼ିଛି । ଉକ୍ତ ଦିବସର ତାତ୍ପର୍ଯ୍ୟକୁ ଲୋକାଲୋଚନକୁ ଆଣିବାର ଦାଇତ୍ୱ କିଛି ଏନଜିଓଙ୍କୁ ଦିଆଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟ କାରୀ ହୋଇପାରୁନଥିବା ଜଣା ପଡ଼ିଛି । ସେହିପରି ଦେହ ସାରା ହଳଦୀ ରଙ୍ଗର ପର ଆଚ୍ଛାଦିତ ପକ୍ଷୀ ଟିଏ ହଳଦୀବସନ୍ତ ଯଥାର୍ଥରେ ତା ନାଆଁ କୁ ସାର୍ଥକ କରିଛି । ତାଳଗଛ ବାହୁଙ୍ଗା ରେ ବଡ଼ ବଡ଼ ବସା ବାନ୍ଧି ବାଉଚଢେଇ ରହିଥାଏ । କଳା ମଚମଚ ସର୍ବାଙ୍ଗ ଶରୀର କୋଇଲିର କୁହୁକୁହୁ ତାନ ଆଉ ଶୁଭୁନାହିଁ । ସେ କାଉ ବସାରେ ଅଣ୍ଡା ଫୁଟାଇ ଶାବକ ଜନ୍ମ ଦେଇଥାଏ ବୋଲି କୁହାଯାଏ । ଅତି ଛୋଟିଆ ଶରୀର ଫିକା ହଳଦୀ ରଙ୍ଗର ଟିପିରି ସେ ଲାଞ୍ଜକୁ ଟେକି ଗଛର ଏ ଡ଼ାଳରୁ ସେ ଡ଼ାଳକୁ ଡ଼େଇଁ ଖାଦ୍ୟ ଅନ୍ୱେଷଣ କରିଥାଏ । ଫିକା ଗୋଲାପି ଓ ବେକରେ କଳା ଟିପାଟିପା ଚିହ୍ନ ରହିଥିବା କପୋତ,ଦଳଦଳ ହୋଇଆସି ଖଳାରେ ଧାନ ଖାଇଥାନ୍ତି । ହଳଦୀଆ ଥଣ୍ଟ ଓ ଫିକା ବାଦାମୀ କଳା ରଙ୍ଗର ବଣି,ପୋକଜୋକ ଆଦି ଡ଼େଇଁଡ଼େଇଁ ବୁଲାବୁଲି କରି ଭକ୍ଷଣ କରିଥାଏ । ଅପେକ୍ଷାକୃତ ବଡ଼ ଆକୃତିର କୁମ୍ଭାଟୁଆ । ଗଛ ଛକିରେ ବସି ଗୁରୁଗମ୍ଭୀର ଶଦ୍ଦ କରିଥାଏ ।

ରାତିରେ ପଦାକୁ ବାହାରୁ ଥିବା ଚେମିଣିଆ,ଧୂସର କଳା ରଙ୍ଗର । ଏହି ପକ୍ଷୀ ଅବ୍ୟବହୃତ ଘର ମାନଙ୍କରେ ରହିଥାନ୍ତି । ଏକ ମାତ୍ର ସ୍ତନ୍ୟପାନ ପ୍ରାଣୀ ବାଦୁଡ଼ି,ଯିଏ କି ଉଡ଼ି ପାରେ । ଗାଁ ମୁଣ୍ଡ ଶେଷରେ ଥିବା ବରଗଛ କିମ୍ବା ଅନ୍ୟାନ୍ୟ ଝଙ୍କଡ଼ା ପୁରୁଣା ଗଛ ଡ଼ାଳରେ ମୁହଁ ତଳକୁ କରି ଦିନସାରା ଓହଳି ରହି ଥାଏ । ଏହି ରାତ୍ରି ଚର ପ୍ରାଣୀର ମାଂସ ଥଣ୍ଡା ନାଶ କରେ ବୋଲି କୁହାଯାଏ । ଅପେକ୍ଷାକୃତ ବଡ଼ ଆକୃତିର ଶାଗୁଣା । ଏହି ପକ୍ଷୀ ପରିବେଶ ପ୍ରଦୂଷଣ ରୋକିବା ପାଇଁ କାର୍ଯ୍ୟ କରିଥାଏ । ପଡ଼ି ରହିଥିବା ଯାବତୀୟ ମୃତ ଶରୀର ଗୁଡ଼ିକ ପ୍ରଦୂଷଣ ପରିବେଶ କୁ ସୃଷ୍ଟି କରିବା ପୂର୍ବରୁ, ଏହି ପକ୍ଷୀମାନେ ତାକୁ ଖାଇଦେଇ ଥାନ୍ତି । ମାଛ ପିୟ ଚିଲ । ଏମାନଙ୍କୁ ମଧ୍ୟ ପୂଜା କରାଯାଏ । ଦୁତି ବାହନ ଓଷା ଦିନ ଚିଲର ମୃଣ୍ମୟ ପ୍ରତି ମୂର୍ତ୍ତୀ କରାଯିବା ସହିତ ଜୀବନ୍ତ ମାଛ ଆଣି କୂଳଭୁଆସୁଣି ମାନେ ଉପବାସ ରହି ପୂଜା କରିଥାନ୍ତି । ଧଳା ରଙ୍ଗର ଲମ୍ବା ଥଣ୍ଟ ଥିବା ବଗ । ମାଛ ଖାଇବା ପାଇଁ ପାଣିରେ କିଛି ହଲଚଲ ନ ହୋଇ ଶାନ୍ତଶିଷ୍ଟ ଭାବେ ଠିଆ ହୋଇଥାଏ । ସୂର୍ଯ୍ୟସ୍ତ ସମୟରେ ବଗ ଗୁଡ଼ିକ ଦଳଦଳ ହୋଇ ବାନ୍ଧିଥିବା ବସାକୁ ଫେରୁଥିବା ଦୃଶ୍ୟ ଅତି ମନୋରମ ଅଟେ । ଏହି ପରି ଶହଶହ ପ୍ରକାରର ପକ୍ଷୀମାନେ ପ୍ରତିଦିନ ଗାଁ ଗଣ୍ଡା ମାନଙ୍କରେ ଦେଖିବାକୁ ମିଳୁଥିଲେ । ତାହା ବର୍ତ୍ତମାନ ବିଲୁପ୍ତ । ଜଙ୍ଗଲକ୍ଷୟ, ଖାଦ୍ୟଭାବ ଓ ଦୈବୀ ଦୁର୍ବିପାକ ଯୋଗୁଁ ସେମାନଙ୍କ ବଂଶ ସଂପୂର୍ଣ୍ଣ ଲୋପ ପାଇଯାଇଛି ବୋଲି ପରିବେଶ ବିତ୍ ମାନେ ମତାମତ ଦେଇଛନ୍ତି । ସୁନ୍ଦର ପୃଥିବୀରେ ଏହି ପକ୍ଷୀମାନଙ୍କ ବଂଶ ଲୋପ ପାଇଯିବା ବାସ୍ତବିକ୍ ଦୁଃଖଦ ଘଟଣା ।