Onn 3

ଲକ୍ଷ୍ୟଠାରୁ ଦୂରେଇ ଯାଉଛି ଯୋଜନା, କାମରେ ଆସୁନି ସୁନାଖଳା ତଥାପି ଚାଲିଛି ନିର୍ମାଣ

State

ଆଗରପଡ଼ା:ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସଚେତନତାର ଅଭାବ ଓ ଲୋକଙ୍କ ଇଚ୍ଚା ଶକ୍ତି ଏବଂ ପାରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ଯୋଜନା ସଫଳ ହେଉ ନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ର ବିଭିନ୍ନ ପଂଚାୟତରେ ନିର୍ମିତ ହୋଇଥିବା ସୁନାଖଳା କ୍ଷେତ୍ରରେ । କୃଷି କ୍ଷେତ୍ରରେ ଗରିବ,ଭୂମିହିନ ଓ ଭାଗଚାଷୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ସରକାର ଧାନକୁ ଠିକ୍ ଭାବେ ଅମଳ କରିବା ପାଇଁ ପ୍ରତ୍ୟେକ ପଂଚାୟତରେ ୬ ଲକ୍ଷରୁ ଆରମ୍ଭ କରି ୮ଲକ୍ଷରୁ ଅଧିକ ଅର୍ଥ ବ୍ୟୟରେ ଗୋଟିଏ ଗୋଟିଏ ସୁନାଖଳା ନିର୍ମାଣ କରିଛନ୍ତି । କିନ୍ତୁ ଉକ୍ତ ସୁନାଖଳାରେ ଧାନ ଅମଳ ହେବା ପରିବର୍ତ୍ତେ ଘଷି ଓ ଗୁଣ୍ଡା ପଡ଼ିବା ସହ ପିଲାଙ୍କ ଖେଳକୁଦରେ ଏହା ବ୍ୟବହୃତ ହେଉଥିବା ଉକ୍ତ ବ୍ଲକର ୨୫ଗୋଟି ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ସୁନାଖଳା କୁ ନଜୀରକୁ ନେଲେ ଜଣାପଡ଼ିଛି । ସଚେତନତାର ଅଭାବ ଯୋଗୁଁ ସୁନାଖଳା ପରିବର୍ତ୍ତେ ଧାନ ଅମଳ ସମୟରେ ରାସ୍ତା ଲୋକଙ୍କ ବେଙ୍ଗଳା ଖଳା ପାଲଟୁଛି । ପ୍ରତି ବର୍ଗର ଲୋକେ ଧାନ କ୍ଷେତରୁ ଆଣିଥିବା ଧାନକୁ ଅମଳ କରି ସୁନାଖଳାରେ ବେଙ୍ଗଳା ନ ପକାଇ ରାସ୍ତାରେ ପକାଉଥିବାର ଦେଖାଯାଉଛି । ଯଦ୍ୱାରା ଅମଳ ସମୟରେ ଗମନାଗମନରେ ମଧ୍ୟ ଘୋର ଅସୁବିଧା ସୃଷ୍ଟି ହୋଇଥାଏ ।

ଲକ୍ଷାଧିକ ଟଙ୍କାରେ ନିର୍ମିତ ସୁନାଖଳା କାମରେ ଲାଗୁ ନଥିବା ବେଳେ ବିଭାଗୀୟ ଅଧିକାରୀ କିଛିମାସ ତଳେ ୮ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସରମରା ସେବା ସମବାୟସମିତି ଆଗରେ ଏକ ସୁନାଖଳା ନିର୍ମାଣ କରାଯାଇଛି । ତେଣୁ ପୁର୍ବରୁ ନିର୍ମିତ ସୁନାଖଳା କାମେରେ ଲାଗୁ ନଥିବା ବେଳେ କେଉଁ ସ୍ୱାର୍ଥରେ ଏଠାରେ ସୁନାଖଳା ନିର୍ମାଣ କରାଗଲା ତାହାକୁ ନେଇ ବିଭିନ୍ନ ମହଲରୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ ହେବା ସହ ସରକାରୀ ଅର୍ଥର ଅପବ୍ୟବହାକୁ ନେଇ ଚିନ୍ତା ପ୍ରକଟ ପାଇଛି । ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ କେହିବି ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସୁନାଖଳାରେ ବେଙ୍ଗଳା କରିବା ପରୀବର୍ତ୍ତେ ଅମଳ ସମୟରେ ଚାଷି ରାସ୍ତାରେ ବେଙ୍ଗଳା ପକାଉଥିବାରୁ ସୁନାଖଳା ନିର୍ମାଣ କରିବା ମୁଲ୍ୟହିନ ପାଲଟିଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ନୂଆ ସୁନାଖଳା ନିର୍ମାଣ କରିବା ପରିବର୍ତ୍ତେ ନିର୍ମାଣାଧିନ ଖଳାର ସୁବ୍ୟବହାର କିପରି ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।