Image 2024 05 28t173518.968

ଯୁବକଙ୍କୁ ଆକ୍ରମଣ ସହ ପରିବାର ଲୋକଙ୍କୁ ଗାଳିଗୁଲଜ କରି ବନ୍ଧା ହେଲେ ଦୁଇ ଅଭିଯୁକ୍ତ

Crime State

ଭୁବନେଶ୍ବର: ଯୁବକଙ୍କୁ ଆକ୍ରମଣ କରିବା ସହ ତାଙ୍କ ଘରେ ପଶି ଗାଳିଗୁଲଜ କରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଈଶ୍ବର ଦାସ ଓରଫ ଅପୁ (32) ଓ ମୁନା ଦାସ (26) । ସେମାନଙ୍କ ନିକଟରୁ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ଲୁହା ଛଡ଼କୁ ମଧ୍ୟ ଜବତ କରିଛି ପୋଲିସ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଛନ୍ତି ।

ସୂଚନା ଯୋଗ୍ୟ, ଅଭିଯୋଗକାରୀ ସୂର୍ଯ୍ୟ ବାହାଦୁର ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ୍ କଲୋନୀରେ ପରିବାର ସହ ରୁହନ୍ତି । ପୂର୍ବରୁ ଏହି ଦୁଇ ଅଭିଯୁକ୍ତ ତାଙ୍କୁ ନାନା ପ୍ରକାର ଧମକ ଚମକ ଦେଇ ଆସୁଥିବା ବେଳେ ଏକାଧିକବାର ଆକ୍ରମଣ କରିବା ଲାଗି ପ୍ରୟାସ କରିଥିଲେ ମଧ୍ୟ ଅଭିଯୋଗକାରୀ ଜଣକ କୌଶଳ କ୍ରମେ ନିଜକୁ ଏହି ଆକ୍ରମଣରୁ ବଞ୍ଚାଇ ନେବାରେ ସକ୍ଷମ ହୋଇଥିଲେ ।

ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ଦୁହେଁ ସୂର୍ଯ୍ୟଙ୍କ ଘରକୁ ଯାଇ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ହଠାତ ସୂର୍ଯ୍ୟଙ୍କୁ ଲୁହା ଛଡ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅଭିଯୋଗକାରୀ ଜଣକ ଗୁରତର ଆହତ ହୋଇଥିଲେ । ଏନେଇ ସେ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ମାମାଲାର ତଦନ୍ତ ଆରମ୍ଭ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଅଭିଯୁକ୍ତଙ୍କର ପୂର୍ବଚରିତ୍ର ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ଅଭିଯୁକ୍ତ ଈଶ୍ବର ଦାଶ ଓରଫ ଅପୁଙ୍କ ନାମରେ ନୟାପଲ୍ଲୀ ଥାନାରେ ୨ଟି ମାମଲା ରହିଥିବା ବେଳେ ଖଣ୍ଡଗିରି ଥାନାରେ ଗୋଟିଏ ମାମଲା ରହିଛି । ସେହିପରି ଅଭିଯୁକ୍ତ ମୁନା ଦାସଙ୍କ ନାମରେ ମଧ୍ୟ ନୟାପଲ୍ଲୀ ଥାନାରେ ୪ଟି ଅପରାଧିକ ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।