Vk Pandian 750x430 1

‘ବିଜେଡି ଆସିଲେ ନୂଆ-ଓ ଛାତ୍ରବୃତ୍ତି ରାଶି ବୃଦ୍ଧି କରାଯିବ, ପୁଅ ପାଇବେ ୧୨ ଓ ଝିଅ ପାଇବେ ୧୪ ହଜାର ଟଙ୍କା’

Politics State

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେତନଟୀରେ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ । ସେଠାରୁ ସେ ସିଧା ସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ ପରିଶ୍ରମର ଫଳସ୍ୱରୂପ ମିଶନଶକ୍ତି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ହେଲେ ବିଜେପି ଆସିଲେ ମିଶନଶକ୍ତି ବନ୍ଦ କରିଦେବ ବୋଲି କହୁଛି ।

ଖାଲି ସେତିକି ନୁହଁ ବିଏସକେୱାଇ ଏବଂ ନୂଆ-ଓ ବନ୍ଦ କରିଦେବ ବୋଲି କହୁଛି, ଆମେ କେବେ ଏହା ହେବାକୁ ଦେବାନାହିଁ । ବିଜୁ ପରିବାରର ସଦସ୍ୟମାନେ ଏକାଠି ଲଢ଼ିଲେ ଆମେ ନିଶ୍ଚୟ ୫୦ ହଜାର ଭୋଟ ବ୍ୟବଧାନରେ ଜିତିବା । ଓଡ଼ିଶାରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି, ଆପଣମାନଙ୍କ ଆଶୀର୍ବାଦ ବିଜେଡ଼ି ବହୁମତ ପାଇଛି ବୋଲି ପାଣ୍ଡିଆନ କହିଛନ୍ତି ।

ସେ କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ୍ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼୍‍ କରିବେ, ଦ୍ୱିତୀୟ ଦସ୍ତଖତରେ ବିଏସକେୱାଇରେ ସମସ୍ତଙ୍କୁ ସାମିଲ କରିବେ, ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବେ ।

ଚତୁର୍ଥ ଦସ୍ତଖତରେ ନୂଆ-ଓ ଛାତ୍ରବୃତ୍ତି ରାଶି ପରିମାଣକୁ ବୃଦ୍ଧି କରିବେ । ପୁଅ ପାଇବେ ୧୨ ହଜାର ଓ ଝିଅ ପାଇବେ ୧୪ ହଜାର ଟଙ୍କା । ଏସବୁ ଦେଖି ବିରୋଧିଦଳ ବିଚଳିତ ହୋଇପଡ଼ିଲାଣି ବୋଲି ପାଣ୍ଡିଆନ କହିଛନ୍ତି ।

ବେତନଟୀକୁ ଏନ୍ଏ‍ସି ମାନ୍ୟତା ସହ ସୋନୋ ବ୍ୟାରେଜ ପାଇଁ ୭୪୦ କୋଟି ଟଙ୍କା, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା, ମାଣିତ୍ରୀ ଶିବ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପାଣ୍ଡିଆନ ହିସାବ ଦେଇଛନ୍ତି ।