Amit Saha 1

‘ବିଜେପିକୁ ଭୋଟ୍ ଦିଅନ୍ତୁ, ଓଡ଼ିଆ ସନ୍ତାନକୁ ମୁଖ୍ୟମନ୍ତ୍ରୀ କରାଯିବ’

Politics State

ଭଦ୍ରକ: ଭଦ୍ରକ ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଜନସଭାକୁ ସମ୍ବୋଧିତ କରି ନବୀନ ସରକାର ଉପରେ ଗର୍ଜିଛନ୍ତି ଶାହା । ସେ କହିଛନ୍ତି ଯେ, ନବୀନ ଜଣେ ତାମିଲ ଲୋକକୁ ଉତ୍ତରାଧିକାରୀ କରିବାକୁ ଯାଉଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାମିଲନାଡୁ ଲୋକକୁ କରାଯିବ କି ? ଜଣେ ତାମିଲବାବୁ ପରଦା ପଛରେ ରହି ଶାସନ କରିବେ କି ବୋଲି ଉପସ୍ଥିତ ଜନତାଙ୍କୁ ପଚାରିଲେ ଶାହା ।

ଜଣେ ଓଡ଼ିଆ ସନ୍ତାନକୁ ମୁଖ୍ୟମନ୍ତ୍ରୀ କରାଯିବ ହେଲେ ସେଥିପାଇଁ ବିଜେପି ସରକାରଙ୍କୁ ଜିତେଇବାକି ପଡିବ ବୋଲି ଶାହା କହିଛନ୍ତି । ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଜେପି ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ସବୁ ବାବୁ ମାନଙ୍କୁ ଜେଲରେ ଭର୍ତ୍ତି କରାଯିବ । ୭୫ରୁ ଅଧିକ ସିଟ୍‌ ଜିତି ଡବଲ ଇଞ୍ଜିନ ସରକାର କରିବ ବିଜେପି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ । ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ । ବିଜେପିକୁ ଭୋଟ୍ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଶାହା କହିଛନ୍ତି ଯେ, ଓଡିଶାରେ ଖଣିଜ ସଂପଦ ଭରି ରହିଥିବା ସତ୍ତ୍ବେ ଅନ୍ୟ ରାଜ୍ୟ ତୁଳନାରେ ଆଜିବି ଓଡିଶାକୁ ଗରିବ ରାଜ୍ୟ ବୋଲି କୁହାଯାଉଛି । ଏସବୁ ହେଇଛି କେବଳ ନବୀନ ବାବୁଙ୍କ ପାଇଁ । ତାଙ୍କ ପାଇଁ ଓଡ଼ିଶା ଲୋକ ଗରିବ ହୋଇ ରହିଛନ୍ତି । ରୋଜଗାର ପାଇଁ ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଦାଦନ ଖଟି ଯାଉଛନ୍ତି । ଓଡ଼ିଆ ଲୋକ ନବୀନ ବାବୁଙ୍କୁ ସହିଗଲେ ସିନା, ହେଲେ ଏ ତାମିଲ ବାବୁକୁ ସହିବେନି । ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଶାହା ଦମ୍ଭୋକ୍ତି ର ସହ କହିଛନ୍ତି ।