Fas

ସ୍ୱନାମଧନ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ. ପୂର୍ଣ୍ଣିମା କୁଅଁରଙ୍କ ପରଲୋକ

State

କଟକ/ବାରିପଦା : ବିଗତ ଶତାବ୍ଦୀର ନବେ ଦଶକରେ ରାଜ୍ୟର ଜଣେ ସ୍ୱନାମଧନ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ ଖୁବ୍ ନାମ କମାଇଥିବା ଡଃ. ପୂର୍ଣ୍ଣିମା କୁଅଁରଙ୍କର 86 ବର୍ଷ ବୟସରେ ପରଲୋକ ଘଟିଛି । ସେ ‘ସେରିବ୍ରାଲ୍ ଷ୍ଟ୍ରୋକ୍’ (ସିଭିଏ)ରେ ପୀଡ଼ିତ ଥିବାବେଳେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ୍ ବିଭାଗ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ଦୁଇ ବର୍ଷ ତଳେ ସେ ବାରିପଦା ‘ସୂର୍ଯ୍ୟନିବାସ’ ନିକଟସ୍ଥ ନିଜ ବାସଭବନ ‘ଉଷାକୁଟୀର’ରେ ରହୁଥିବା ବେଳେ ସେଠାରେ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇ ଥିଲେ I ତାପରେ ସେ ଦୁଇ ବର୍ଷ ଧରି ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ଏପ୍ରିଲ ୧୯ ତାରିଖ ରେ ବଡ଼ ମେଡିକାଲକୁ ପ୍ରାୟ ସଂଜ୍ଞାହୀନ ଅବସ୍ଥାରେ ଆସିଥିଲେ । ଆଜୀବନ ଅବିବାହିତା ଥିବା ଡଃ. କୁଅଁର ଶେଷରେ ମେ’ ମାସ 22 ତାରିଖ ବୁଧବାର ମଧ୍ୟାହ୍ନ 1.27 ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଡଃ. ପୂର୍ଣ୍ଣିମା କୁଅଁର 1965 ମସିହାରେ ବୁର୍ଲାସ୍ଥିତ ଭିମସାରରୁ ଏମବିବିଏସ୍ ପାସ୍ କରିଥିଲେ । ଏହାପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ ଅଫିସର ଭାବରେ ତାଙ୍କର ଚାକିରୀ ଜୀବନ ଆରମ୍ଭ ହୋଇଥିଲା । ସେହି ସମୟରେ ସେ ଥିଲେ ସେଠାକାର ଏକମାତ୍ର ଲେଡି ଆସିଷ୍ଟାଣ୍ଟ ସର୍ଜନ । ଏହାପରେ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଷୟରେ ସଫଳତାର ସହ ଏମ୍.ଏସ୍. କରିବା ପରେ ସେହିଠାରେ ହିଁ ବିଭିନ୍ନ ବିଭାଗରେ ଡାକ୍ତରୀ ଅଧ୍ୟାପନା କରିଥିଲେ । ଏହାପରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ତଥା ବୁର୍ଲା ଭିମସାରରେ ମଧ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ । 1999 ମସିହାରେ ସେ ବୁର୍ଲାସ୍ଥିତ ଭିମସାରରୁ ହିଁ ସମ୍ପୃକ୍ତ ବିଭାଗର ଆସୋସିଏସ ପ୍ରଫେସର ଭାବରେ ଅବସର ଗ୍ରହଣ କରିଥିଲେ । ପରେ କଟକର ଏକ ଘରୋଇ କ୍ଲିନିକରେ କିଛିବର୍ଷ କାର୍ଯ୍ୟ କରିବା ପରେ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ନିଜ ଘରକୁ ଚାଲିଯାଇଥିଲେ । ସୂଚନାଯୋଗ୍ୟ, 2015 ମସିହାରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ସେ ବିଭିନ୍ନ ବାର୍ଦ୍ଧକ୍ୟଜନିତ ରୋଗରେ ମଧ୍ୟ ପୀଡ଼ିତ ହୋଇଥିଲେ । ଜଣେ ଧର୍ମପରାୟଣା, ଅମାୟିକ ତଥା ପରୋପକାରୀ ମହିଳା ଭାବରେ ଡଃ. କୁଅଁର ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ନିଜ ଚାକିରୀକାଳ ମଧ୍ୟରେ ହଜାର ହଜାର ଗରିବ ତଥା ଅସହାୟ ରୋଗୀଙ୍କୁ ସହାୟତା କରି ସେ ଯଥାର୍ଥରେ ସେମାନଙ୍କର ମା’ ପାଲଟି ଯାଇଥିଲେ ।