Road

ରାଜଧାନୀରେ ତୃତୀୟ ଥର ପାଇଁ ନବୀନ କଲେ ରୋଡ ସୋ’

Politics State

ଭୁବନେଶ୍ଵର: ପୁଣି ରାଜଧାନୀରେ ପ୍ରଚାର ମୈଦାନକୁ ଓହ୍ଲାଇଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ କରିଛନ୍ତି ମେଗା ରୋଡ ସୋ’ । ନବୀନଙ୍କ ରୋଡ ସୋ’ ପାଇଁ ଜନସମୁଦ୍ର ପାଲଟିଛି ରାଜଧାନୀର ରାଜରାସ୍ତା। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ଵରେ ଛିଡ଼ା ହୋଇଛନ୍ତି ହଜାର ହଜାର ଜନସାଧାରଣ। ସମସ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍ସାହ। ସିଆରପି ଛକରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ ପଟିଆ ଛକରେ ଶେଷ ହେବ । ବିଜେଡି ସଭାପତି ଦଳୀୟ ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ଲାଗି ଭୋଟ ମାଗୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ଉଭୟ ପ୍ରାର୍ଥୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଗ୍ରହଣ କରିବା ସହ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଭୁବନେଶ୍ଵର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ବିଜେଡି ନେତା ଭି କେ ପାଣ୍ଡିଆନ କହିଥିଲେ, “ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତା ଜୁଲାଇ ମାସରୁ ୧୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ। ଏହାଦ୍ଵାରା ୯୦ ପ୍ରତିଶତ ପରିବାର ଉପକୃତ ହେବେ। ସମସ୍ତଙ୍କୁ ବିଏସକେଓ୍ଵାଇ କାର୍ଡ ଓ ମିଶନଶକ୍ତି ମା’ଙ୍କୁ ୬୦ ବର୍ଷ ପରେ ପେନସନ ଦିଆଯିବ।”

ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦାୟିତ୍ଵରେ ରହିଛନ୍ତି। ରୋଡ ସୋ’ ହେବାକୁ ଥିବା ରାସ୍ତାର ପ୍ରତ୍ୟେକ ଛକରେ ପୋଲିସ ନିୟୋଜିତ ହୋଇଛନ୍ତି। ହଜାର ହଜାର ସଂଖ୍ୟାରେ ଦଳୀୟ ନେତା, କର୍ମୀ ଏବଂ ସମର୍ଥକଙ୍କ ସହ ସାଧାରଣ ଜନତାଙ୍କ ପ୍ରବଳ ଭିଡ଼ ଦେଖିବାକୁ ଲାଗିଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ରୋଡ ସୋ’ ଦେଖିବାକୁ ରୁଣ୍ଡ ହୋଇଛନ୍ତି। କେବଳ ଭୁବନେଶ୍ଵର ବାସିନ୍ଦା ନୁହନ୍ତି, ବିଭିନ୍ନ ଅଞ୍ଚଳର ଲୋକ ଏଠାରେ ଏକାଠି ହୋଇଛନ୍ତି।