Photo For The News Of Anganwadi

ପ୍ରତିଷ୍ଠାକୁ ୨୩ବର୍ଷ ଓ ଗୃହ ନିର୍ମାଣକୁ ୧୯ବର୍ଷ ପୁରିଲା, ଅଧପନ୍ତରିଆ ଅଙ୍ଗନୱାଡ଼ି ଗୃହକୁ ନେଇ ଚିନ୍ତାରେ ଅଭିଭାବକ

State

ବନ୍ତ/ଆଗରପଡ଼ା :ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରତିଷ୍ଠାକୁ ୨୩ବର୍ଷ ଓ ଗୃହ ନିର୍ମାଣକୁ ୧୯ ବର୍ଷ ପୁରି ସାରିିଥିଲେ ସୁଦ୍ଧା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ହୋଇ ନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ସରକାରଙ୍କ ମହିଳା ଓ ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଉଦ୍ଧିଷ୍ଟ ଯୋଜନାର ସଫଳ ରୁପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସରମରା ଗ୍ରାମରେ । ବନ୍ତ ବ୍ଲକର ୨୫ ଟି ପଂଚାୟତରେ ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି । ୨୫ଟି ପଂଚାୟତକୁ ୧୧ଟି ସେକ୍ଟରରେ ଭାଗ କରାଯାଇଛି । ତନ୍ମଧ୍ୟରୁ କାଦବରାଙ୍ଗ ସେକ୍ଟର ଅନ୍ୟତମ । ଉକ୍ତ ସେକ୍ଟର କାଦବରାଙ୍ଗ, ଓଡ଼ଙ୍ଗ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତକୁ ନେଇ ଗଠିତ । ଏବଂ ଉକ୍ତ ସେକ୍ଟର ଅଧିନରେ ୨୬ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଭୁକ୍ତ । ତନ୍ମଧ୍ୟରୁ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସରମରା ଅନ୍ୟତମ । ଗତ ୨୦୦୦ ମସିହାରେ ଏଠାରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ପରଠାରୁ ନିଜସ୍ୱ ଗୃହ ନଥିବାରୁ ବିଭିନ୍ନ ସ୍ଥାନରେ ଏହା ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ପ୍ରତିଷ୍ଠାର ୪ବର୍ଷ ପରେ ଅର୍ଥାତ ୨୦୦୪-୦୫ ଆର୍ଥିକ ବର୍ଷରେ ଏମଜିଏନଆରଇଜିଏସ ଯୋଜନାରେ ୪ଲକ୍ଷ ୫୦ହଜାର ଓ ଅନ୍ୟ ଏକ ଯୋଜନାରେ ୫୦ ହଜାର ଏହିପରି ସମୁଦାୟ ୫ ଲକ୍ଷ ମଂଜୁର ଅର୍ଥରେ ଏଠାରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଗୃହ ନିର୍ମାଣକୁ ୧୯ ବର୍ଷ ପୁରିସାରିଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନପାରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ମହିଳା ଓ ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଥିଲା ।

ଜନ୍ମ ଠାରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ଶିକ୍ଷା, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ ରହିଛି । କିନ୍ତୁ ଏହି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଏହି ସବୁ କାର୍ଯ୍ୟର ସଫଳ ରୂପାୟନ ହୋଇ ପାରୁ ନଥିବା ପରିଲକ୍ଷିତ ହେଉଛି । ସରକାର ଅର୍ଥ ମଂଜୁର କରୁଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଗୃହ ନିର୍ମାଣ ପାଇଁ କିନ୍ତୁ ଏହି ଅର୍ଥର ସଠିକ ବିନିଯୋଗ ନହୋଇ କେବଳ କାଗଜ କଲମରେ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଥିବାର ଉକ୍ତ କେନ୍ଦ୍ରକୁ ଦେଖିଲେ ଜଣାପଡ଼ିଛି । କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ବର୍ତ୍ତମାନ ଜନୈକ ବ୍ୟକ୍ତିଙ୍କ ଦାନ ଗୃହରେ ଏକ କୋଠରୀରେ ଉକ୍ତ କେନ୍ଦ୍ର ଚାଲିଛି । ଉକ୍ତ ଗୃହରେ କେନ୍ଦ୍ରର ଅନ୍ୟ କାର୍ଯ୍ୟସହ ରୋଷେଇ କାର୍ଯ୍ୟ ମଧ୍ୟ ସଂପାଦନା ହେଉଛି । ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ଗୋଟିଏ ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରର ବ୍ୟବସ୍ଥାକୁ ନେଇ ନିଜର ହତାଶଭାବ ପ୍ରକାଶ କରୁଥିବାବେଳେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଅର୍ଥ ମଂଜୁର ହେଉଛି କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ପନ୍ଥା ଯୋଗୁଁ ସରକାରଙ୍କ ଯୋଜନା ଲକ୍ଷଚ୍ୟୁତ ହେବାକୁ ଯାଉଥିବାର ଅଭିଯୋଗ ହେଉଛି । ଏଠାରେ ଦେଖା ଦେଇଥିବା ଏହି ପରି ଅବ୍ୟବସ୍ଥା ପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।