Vk

ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ୍ କଲେ ପାଣ୍ଡିଆନ୍‌

Politics State

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରଗଡ଼ ଆସିଥିଲେ। ବହୁତ ବଡ଼ବଡ଼ କଥା କହିକି ଗଲେ। ହେଲେ ସମ୍ବଲପୁରୀ, କୋଶଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ୫ ବର୍ଷ ହେଲା ପ୍ରସ୍ତାବ ପଠାଇଥିଲେ ବି ବିଜେପି ସରକାର କ’ଣ କଲା ବୋଲି ରବିବାର ବିଜେଡି ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ୍‌ ପ୍ରଶ୍ନ କରିଛନ୍ତି। ବରଗଡ଼ରେ ଶ୍ରୀ ପାଣ୍ଡିଆନ କହିଛନ୍ତି, ଏହି ଅଞ୍ଚଳର ଜୀବନଧାରା ହେଉଛି ମହାନଦୀ ପାଣି। ଯେତେବେଳେ ଛତିଶଗଡ଼ରେ ବିଜେପି ସରକାର ଥିଲା, କେନ୍ଦ୍ରରେ ବିଜେପି ସରକାର ଥିଲା। ସେତେବେଳେ ଦୁଇ ଜଣ ମିଶି ଓଡ଼ିଶା ବିରୋଧରେ କାମ କଲେ। ମହାନଦୀ ଉପରେ ବେଆଇନ୍ ଭାବେ ଆଡ଼ିବନ୍ଧ ଆଉ ଡ୍ୟାମ ନିର୍ମାଣ କଲେ। ସିଡବ୍ଲ୍ୟୁସି ମଧ୍ୟ ଛତିଶଗଡ଼କୁ ସହଯୋଗ କଲେ। କେନ୍ଦ୍ରମନ୍ତ୍ରୀ ମଧ୍ୟ ଛତିଶଗଡ଼କୁ ସପୋର୍ଟ କଲେ। ହେଲେ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଗଲେ, ସୁପ୍ରିମକୋର୍ଟ ଯାଇ ମହାନଦୀ ଟ୍ରିବ୍ୟୁନାଲ ଇନଷ୍ଟିଚ୍ୟୁଟ୍ କରାଗଲା। ତା ପରେ ଛତିଶଗଡ଼ର ଡ୍ୟାମ ବନ୍ଦ କରାଗଲା।

ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଲେ ଧାନର ରେଟ୍ ବୃଦ୍ଧି କରିବେ । ହେଲେ ୧୦ ବର୍ଷ ଶୋଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍। ନିର୍ବାଚନ ସମୟରେ ଚାଷୀର କଥା ମନେ ପଡିଲାନି କି? ଚାଷୀମାନେ ନୂଆଦିଲ୍ଲୀରେ ଆନ୍ଦୋଳନ କଲେ, ଏବେ ଇଲେକ୍ସନ ୧୦ ଦିନ ଥିଲାବେଳେ ଧାନର ରେଟ୍ ବଢାଇବାକୁ କହୁଛନ୍ତି। ବିଜେପି ଯେହେତୁ ବହୁତ ପରିମାଣରେ ହାରୁଛନ୍ତି, ସେଥିପାଇଁ ସେ ମିଛ କଥା କହୁଛନ୍ତି। ଚାଷୀ ଭାଇମାନଙ୍କୁ ଭୂଆଁ ବୁଲେଇବାକୁ ବିଜେପି ଚେଷ୍ଟା କରୁଛି ବୋଲି ପାଣ୍ଡିଆନ୍ କହିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଏତେ ବର୍ଷ କେନ୍ଦ୍ରମନ୍ତ୍ରୀ ରହିଲେ। ହେଲେ ଗଙ୍ଗାଧର ମେହେରଙ୍କ ଏ ମାଟି ପାଇଁ କିଛି କଲେ କି? ସବୁକିଛି ନବୀନ ବାବୁ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଗୋଟେ ଟଙ୍କା ଖର୍ଚ୍ଚ କରିନାହାଁନ୍ତି। ବରଗଡ଼ରେ କ୍ୟାନସର ହେଉଛି ବଡ ସମସ୍ୟା। ସେଥିପାଇଁ କ୍ୟାନସର ହସ୍ପିଟାଲ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଆସିକି କହିଲେ, ବରଗଡରେ କ୍ୟାନସର ଚିକିତ୍ସା ପାଇଁ ବ୍ୟବସ୍ଥା କରିବୁ। ହେଲେ ଇଲେକ୍ସନ ପରେ ଭୁଲିଗଲେ। ବିଜେପୁର ଉପନିର୍ବାଚନ ବେଳେ ବରପାଲି ଷ୍ଟେସନରୁ ଏକ୍ସପ୍ରେସ ଚଲେଇବାକୁ କହି ଭୁଲିଗଲେ। କେନ୍ଦ୍ରମନ୍ତ୍ରୀ ବଡ଼ବଡ଼ କଥା କହୁଛନ୍ତି। ଇଲେକ୍ସନ ସରିଲା ପରେ କିନ୍ତୁ ତାଙ୍କୁ ପାଇବେନି ବୋଲି କହିଛନ୍ତି ପାଣ୍ଡିଆନ।

ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ମାଗଣାରେ ବିଜୁଳି ଦେବ। ଏଥିପାଇଁ ସୋଲାର ପ୍ୟାନେଲ ଲଗେଇବାକୁ ପଡ଼ିବ। ହେଲେ ସୋଲାର ପ୍ୟାନେଲ ଲଗେଇବାକୁ ୪୦ରୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡ଼ିବ। ଏହା ହେଉଛି ଦିନରେ ଲଣ୍ଠନ ଦେଖାଇବା। ମୁଖ୍ୟମନ୍ତ୍ରୀ କିନ୍ତୁ ଏ ସବୁରେ ବିଶ୍ୱାସ କରନ୍ତିନି। ସେ କହିଛନ୍ତି ଜୁନ୍ ୯ରେ ଦାୟିତ୍ୱ ଗ୍ରହଣ କରିବେ। ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍ ବନ୍ଦ ହେବ। ଜୁଲାଇ ପରେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବନି। ଦିନରେ ଲଣ୍ଠନ ଦେଖାଇବା ଡବଲ ଇଞ୍ଜିନ, ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ। ଭତ୍ତା ୩୦୦ ଟଙ୍କା ଦେବା ଡବଲ ଇଞ୍ଜିନ, ୧୦୦୦ ଟଙ୍କା ଭତ୍ତା ଦେବା ନବୀନ ଇଞ୍ଜିନ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍।