Puri

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

State

ରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଆପାତତଃ ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ।

ସୂଚନାଯୋଗ୍ୟ ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ (ପ୍ରାୟ ତିନି ଘଣ୍ଟା ସମୟ) ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।କବି ସାଲବେଗ ମହାପ୍ରଭୁଙ୍କ ଶ୍ରୀମୁଖ ଦେଖି ଲେଖିଛନ୍ତି ‘ଝଲମଲ ଦିଶୁଥାଇ ମୁକୁତାର ଝଟକ’ । କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ । ଏହି ଆକର୍ଷଣର କାରଣ ମୁହଁର ରଙ୍ଗବିନ୍ୟାସ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା ।
ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ, ବିଧିମତେ ଥରେ ବନକଲାଗି ପାଇଁ ୭ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।