Ddd

ବରଗଡରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ

Politics State

ବରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଅଷ୍ଟମ ତଥା ଶେଷ ଦିନ । ଶେଷ ଦିନରେ ବରଗଡ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ନିପନ ଦାସ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ କୋଶଲ ସମର୍ଥିତ ପ୍ରାର୍ଥୀ ନନ୍ଦନ ମହାନନ୍ଦ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉଭୟ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କଂଗ୍ରେସ ଦଳର ପ୍ରାର୍ଥୀ ନିପନ ଦାସ ଦଳୀୟ ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ଲମ୍ବା ବିଲଡିଙ୍ଗରୁ ବାହାରି ବରଗଡ଼ ଉପଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠାରେ ସେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର କୁମାର ନାଗଭୂଷଣଙ୍କୁ ପ୍ରାର୍ଥୀପତ୍ର ପ୍ରଦାନ କରିଥିଲେ l

ବରଗଡ଼ ବିଧାନସଭା ଆସନ ପାଇଁ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେଡ଼ି ଓ ବିଜେପି ଦଳ ନିଜନିଜର ଶକ୍ତି ପ୍ରଦର୍ଶନ କରିସାରିଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ନିପନ ଦାସ ମଧ୍ୟ ୫ ହଜାରରୁ ଅଧିକ ସମର୍ଥକଙ୍କ ଏକ ବିରାଟ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ l

ସେହିପରି ବରଗଡ ବିଧାନସଭା ଆସନ ପାଇଁ କୋଶଲ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ମଧ୍ୟ ସ୍ଥାନୀୟ ବାନ୍ଦୁଟିକିରା ଠାରେ ବୀର ସୁରେନ୍ଦ୍ର ସାଏ ଙ୍କର ପ୍ରତିମୂର୍ତ୍ତି ରେ ପୁଷମାଲ୍ୟ ଅର୍ପଣ କରି ହଜାର ହଜାର ସମର୍ଥକଙ୍କ ସହିତ ଏକ ବିଶାଳ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଓ ସେଠାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ l

ତେବେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ରହିଛି ଓ ମେ ମାସ ୬ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସମୟ ରହିଛି l ସେହିପରି ମେ ୨୦ ତାରିଖରେ ମତଦାନ ଏବଂ ୪ ଜୁନ୍ ରେ ଭୋଟ ଗଣତି ପ୍ରକ୍ରିୟା ରହିଛି ।