222

“ଗୋଧୂଳି ସାହିତ୍ୟ ସଂସଦ”ର ବିଷୁବ ଆସର ଅବସରରେ କବିତା ପାଠୋତ୍ସବ ସହ ଆଲୋଚନା କାର୍ଯ୍ୟକ୍ରମ

State

ଭୁବନେଶ୍ୱର  : “ଗୋଧୂଳି ସାହିତ୍ୟ ସଂସଦ”ର ବିଷୁବ ଆସର ଅବସରରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର ୨ ସମ୍ମୁଖରେ ଥିବା ଭୁବନେଶ୍ୱର ଲ’କଲେଜ୍ ଅଡିଟୋରିୟମରେ   ଓଡ଼ିଶାର ଗର୍ବ ଏବଂ ଗୌରବ ସ୍ବାଭିମାନୀ ମଧୁସୂଦନ ଦାସଙ୍କ ପୁଣ୍ୟ ଜନ୍ମ ତିଥିରେ ଏକ କବିତା ପାଠୋତ୍ସବ ସହ ଆଲୋଚନା କାର୍ଯ୍ୟକ୍ରମ ସଂସଦର ସଭାପତି ବରିଷ୍ଠ ଆଇନଜୀବୀ ତଥା ପ୍ରାବନ୍ଧିକ ଶିବ ସୁନ୍ଦର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନର ସମ୍ପାଦିକା ବିମଳା ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ବରିଷ୍ଠ କବି ମିନତି ମିଶ୍ର ଏବଂ ଗୋଲକ ବିହାରୀ ନାୟକଙ୍କ ସଂଯୋଜନା ରେ ଡକ୍ଟର ଅଞ୍ଜଳି ତ୍ରିପାଠୀ, ମୀନ କେତନ ଦାସ, ଅଲେଖ କୁମାର ନନ୍ଦୀ, ବୀଣାପାଣି ସାହୁ, ବ୍ରଜେଶ୍ବରୀ ସିଂହ, କବିତି ମିଶ୍ର, ଆଶା ଲତା ପଣ୍ଡା, ଆରାଧନା ମିଶ୍ର, ରମାକାନ୍ତ ରାଉତ, ମନୋରମା ମିଶ୍ର, ଗୀତା ଷଡ଼ଙ୍ଗୀ, କାନନ ବାଳା ପଟ୍ଟନାୟକ, ଶାନ୍ତି ଲତା ପଲାଇ, ଚନ୍ଦ୍ର କାନ୍ତ ପଣ୍ଡା ପ୍ରମୁଖ ପ୍ରାୟ ପଚିଶ ଜଣ କବି ସ୍ବରଚିତ କବିତାମାନ ପାଠ କରିଥିଲେ ।

ଅନୁଷ୍ଠାନର ଉପଦେଷ୍ଟା ତଥା ବିଶିଷ୍ଟ କବି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଅଲେଖ ଚନ୍ଦ୍ର ପଢିଆରୀ ଏହି ଅଧିବେଶନରେ ଅତିଥି ଭାବରେ ଯୋଗ ଦେଇ ମଧୁସୂଦନ ଦାସଙ୍କ ଉପରେ ଅନେକ ନୂତନ ତଥ୍ୟ ପ୍ରଦାନ କରିଥିଲେ । ପରେ ପରେ ମଧୁସୂଦନ ଦାସ ଙ୍କ ଉପରେ ଆଲୋଚନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ତଥା ଶିକ୍ଷାବିତ୍ ରତ୍ନାକର ରାଉତ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶରତ ଚନ୍ଦ୍ର ରଥ ଏବଂ ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ନାଟ୍ୟକାର ବିଜୟ କୁମାର ମହାନ୍ତି ଯୋଗ ଦେଇ ମଧୁସୂଦନ ଦାସ ଓଡ଼ିଶାର ଭାଷା, ସାହିତ୍ୟ ସଂସ୍କୃତିର ସୁରକ୍ଷା ତଥା ନାରୀ ଶିକ୍ଷାର ଉନ୍ନତି, ଓଡ଼ିଶାର ଶିଳ୍ପ ତଥା ସମବାୟ କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କିଭଳି କରିବା ସହ ବିଶ୍ବ ଦରବାରରେ ଓଡ଼ିଶାର ସମ୍ମାନ ବଜାୟ ରଖି ପାରିଥିଲେ ସେ ସମ୍ପର୍କରେ ବହୁ ନୂଆ ନୂଆ ତଥ୍ୟ ପ୍ରଦାନ କରିବା ସହ ତାଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ କାହିଁକି ଦିଆ ନ ଯାଇଛି ପ୍ରଶ୍ନ ଉଠିଥିଲା ଉପସ୍ଥିତ କବି ମାନଙ୍କ ମଧ୍ୟରେ। ଯାହାଙ୍କ ଯୋଗୁଁ ଆଜି ଆମେ ଓଡ଼ିଆ ବୋଲି ଗର୍ବ କରି ପାରୁଛେ, ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ମାନ୍ଯତା ପାଇଥିଲା, ନିଜର ସ୍ବାଭିମାନ ପଣ ଯୋଗୁଁ ସେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉତ୍କଳ ଟ୍ୟାନେରୀ ପାଇଁ ଦେବାଳିଆ ହୋଇ ଯାଇଥିଲେ ମଧ୍ୟ ମୁଣ୍ଡ ନୁଆଇଁ ନଥିଲେ, ଅନ୍ୟର ଦୁଃଖ ରେ ସମ ଦୁଃଖୀ ଥିଲେ, ଜାତୀୟ ଜୀବନର କଥା ପ୍ରତ୍ୟେକ କବିତାର ପଂକ୍ତିରେ ପ୍ରେରଣା ଦେଇ ଚାଲିଥିଲେ, ଅନେକ ତ୍ୟାଗ ର ପରାକାଷ୍ଠା ପ୍ରଦର୍ଶନ କରି ଯାଇଛନ୍ତି ସେଇ ପ୍ରାତଃ ସ୍ମରଣୀୟ ପଗଡ଼ି ପୁରୁଷଙ୍କର ଜୀବନ ଚର୍ଯ୍ଯାକୁ ଆମେମାନେ ଅନୁସରଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଅନୁଷ୍ଠାନର ସହ ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର କାନ୍ତ ପଣ୍ଡା ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା।