Forest Fire

ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ଏଆଇ ନଜର

State

ବାରିପଦା: ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଟାଇଗର ରିଜର୍ଭ (ଏସଟିଆର) କର୍ତ୍ତୃପକ୍ଷ ସେମାନଙ୍କ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଶୀଘ୍ର ଜଙ୍ଗଲ ନିଆଁ ସମ୍ପର୍କରେ ସୂଚନା ପାଇବା ପାଇଁ ଟାୱାର ଭିତ୍ତିକ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି(ଏଆଇ) ଜ୍ଞାନକୌଶଳର ବ୍ୟବହାର କରାଯାଉଛି।
ଶିମିଳିପାଳର ଜଙ୍ଗଲ ନିଆଁ ଉପରେ ଏଆଇ କଡ଼ା ନଜର ରଖିଛି। କେଉଁଠୁ ଧୂଆଁ ଉଠିଲେ ତତ୍‌କ୍ଷଣାତ୍ ସୂଚନା ମିଳିପାରୁଛି ବୋଲି ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି। ଗତ ଦୁଇ ଦିନ ଧରି ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି। ତେବେ ସମସ୍ତ ବନ୍ୟପ୍ରାଣୀ ସୁରକ୍ଷିତ ଥିବା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
ସମଗ୍ର ଶିମିଳିପାଳ ଅଭୟାରଣ୍ୟକୁ ପ୍ରାଥମିକତା ଭିତ୍ତିରେ ପାଞ୍ଚଟି ଟାୱାର ଭିତ୍ତିକ ଏଆଇ ବ୍ୟବସ୍ଥା ସ୍ଥାପନ କରାଯାଇଛି। ୩୬୦-ଡ଼ିଗ୍ରୀ ଗତି କରିବାରେ ସକ୍ଷମ ହାଇ-ରିଜୋଲ୍ୟୁସନ୍ କ୍ୟାମେରା ସହିତ ସଜ୍ଜିତ ଏହି ଟାୱାରଗୁଡିକ ୧୫ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟକଳାପ ଚିହ୍ନଟ କରୁଛି। ଯାହା ଦ୍ବାରା ଜଙ୍ଗଲ ନିଆଁ ଚିହ୍ନଟ ଏବଂ ବନ୍ୟପ୍ରାଣୀଙ୍କ ବେଆଇନ ଶିକାର ଚିହ୍ନଟ କରିବାରେ ସହଜ ହୋଇପାରୁଛି। ଏଇ ଟାୱାର ସ୍ଥାପନ ପ୍ରକଳ୍ପର ମୂଲ୍ୟ ହେଉଛି ୨.୫କୋଟି ଟଙ୍କା।
ଏହି ସିଷ୍ଟମ ମାଧ୍ୟମରେ ରିଅଲ ଟାଇମ ଜଙ୍ଗଲ ଅଗ୍ନି ତଥ୍ୟ ଏବଂ ପ୍ରସାରଣ ମଧ୍ୟ ଯୋଗାଇ ଦିଆଯାଉଛି। ମାନବସମ୍ବଳ ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରି ଆରସିସିଏଫ୍ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବନ୍ୟଜନ୍ତୁ ବିଭାଗରେ ୫୦୫ଟି ଫାୟାର ସ୍କ୍ବାଡ୍ ନିୟୋଜିତ କରାଯାଇଛି।
୭୩୩ ଏୟାର ବ୍ଲୋୟର ମେସିନ୍ ଅଗ୍ନି ନିର୍ବାପକ ପ୍ରୟାସରେ ବ୍ୟବହୃତ ହେଉଛି। ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ ଯୋଗାଇବା ଦ୍ୱାରା ଅଗ୍ନି ସ୍କ୍ବାଡ୍‌ର ସୁରକ୍ଷା ନିଶ୍ଚିତ ହୋଇପାରୁଛି।