Rites

କାନ୍ଦ ବୋବାଳିରେ ଫାଟିଲା ଅଂଜେରପାଲି ଗାଁ ଶ୍ମଶାନ, ଏକା ସାଙ୍ଗରେ ଜଳିଲା ୮ଜଣଙ୍କ ଜୁଇ

State

ବରଗଡ/ ଝାରୁସୁଗୁଡା : ମହାନଦୀରେ ଯାତ୍ରା ପାଲଟିଲା ମହାଯାତ୍ରା । ଝାରସୁଗୁଡ଼ା ଲଖନପୁରରେ ମହାନଦୀରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ୮ଜଣଙ୍କ ମୃତଦେହ ଉଦ୍ଧାର ହେବାପରେ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲ୍ଲାର ଅଂଜେରପାଲି ଠାରେ ୮ଟି ମୃତଦେହ ପହଁଚିଥିଲା । ଏହା ପରେ ସେଠାରେ ସମସ୍ତ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି । ତେବେ ଗତକାଲି ସକାଳ ସୁଦ୍ଧା ସାତଟି ମୃତଦେହ ଉଦ୍ଧାର ସରିଥିବା ବେଳେ ଅପରାହ୍ମରେ ଆଉ ଜଣଙ୍କ ମୃତଦେହ ମିଳିଥିଲା । ଏମାନଙ୍କ ମଧ୍ୟରେ ତିନି ଶିଶୁ ରହିଥିଲେ । ସମସ୍ତ ମୃତକ ଛତିଶଗଡ଼ର ବାସିନ୍ଦା ବେଳେ ଏହି ଝାରସୁଗୁଡା ଲଖନପୁର ଶରଧା ଠାରେ ମହାନଦୀରେ ଡଙ୍ଗାବୁଡ଼ି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି ।

ଏପଟେ ଅଂଜେରପାଲି ଠାରେ ୮ଟି ମୃତଦେହ ପହଁଚିବା ପରେ ପରିବାର କାନ୍ଦବୋବାଳିରେ ଫାଟିପଡିଥିଲା । ଛତିଶଗଡ଼ ସରକାରଙ୍କ ଅର୍ଥମନ୍ତ୍ରୀ ଓ.ପି. ଚୌଧୁରୀ ସେଠାରେ ପହଁଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହାପରେ ଗାଁ ଶ୍ମଶାନରେ ଏକା ସାଙ୍ଗରେ ୮ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ତେବେ ସୂଚନା ଥାଉକି, ପୂର୍ବ ମାନସିକ ଅନୁଯାୟୀ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲା ଖରସିଆଁ ଗାଁର ୬୦ ଜଣ ଲୋକ ବରଗଡ଼ ଜିଲ୍ଲା ପଥରସେନୀ ମନ୍ଦିରକୁ ଯାଇଥିଲେ। ପୂଜାର୍ଚ୍ଚନା ପରେ ଡଙ୍ଗା ସାହାଯ୍ୟରେ ନିଜ ଗ୍ରାମକୁ ବାହାରୀ ଥିଲେ। କିନ୍ତୁ ଶରଧା ଘାଟରୁ ପ୍ରାୟ ଏକ କିଲୋମିଟର ଯିବା ପରେ ଡଙ୍ଗାଟି ଓଲଟି ପଡ଼ିଥିଲା । ଡଙ୍ଗାର ଉଭୟ ପାର୍ଶ୍ବରେ ବସିଥିବା ଲୋକେ ପହଁରିବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୀୟୀ ମତ୍ସ୍ୟଜୀବୀ ସେମାନଙ୍କୁ ଉଦ୍ଧାର କରିଥିଲେ ।

ନିଖୋଜ ୮ଜଣଙ୍କୁ ଉଦ୍ଧାର ପାଇଁ ୨ଟି ସର୍ଚ୍ଚ କ୍ୟାମେରା ସହ ୫ଜଣ ସ୍କୁବା ଡାଇଭର ଭୁବନେଶ୍ବରରୁ ଝାରସୁଗୁଡ଼ା ଯାଇଥିଲେ। ଆମ୍ବାଭୋନାର ଦମକଳ ବାହିନୀ ସହ ଭଟଲୀ, ଲକ୍ଷ୍ମନପୁର ଓ ସମ୍ବଲପୁରର ଟିମ୍ ଉଦ୍ଧାର କାର୍ଯ୍ୟ କରିଥିଲେ । ଡଙ୍ଗା ବୁଡ଼ି ଦୁର୍ଘଟଣାର ୨୪ଘଣ୍ଟା ମଧ୍ୟରେ ସମସ୍ତ ନିଖୋଜକୁ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବିଭାଗ ।

ଏହି ଉଦ୍ଧାର କାର୍ଯ୍ୟରେ ସ୍କୁବା ଡ୍ରାଇଭର, ସର୍ଚ୍ଚ କ୍ୟାମେରାର ସହାୟତା ନିଆଯାଇଥିଲା । ଛତିଶଗଡ଼ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ରହି କାର୍ଯ୍ୟରେ ସହାୟତା କରିଥିଲେ । ତେବେ ଡଙ୍ଗା ବୁଡିର କାରଣ ଅସ୍ପଷ୍ଟ ରହିଥିବାବେଳେ, କ୍ଷମତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଯାତ୍ରା କରୁଥିବାରୁ ଡଙ୍ଗାଟି ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି ।