Parrot

୬୧ ଶୁଆଙ୍କୁ ମୁକ୍ତ କଲା ବନବିଭାଗ

State

ରାଉରେକଲା : ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅନ୍ତର୍ଗତ ଟେନ୍‌ସା ଜଙ୍ଗଲ ଅଞ୍ଚଳରେ ଶୁକ୍ରବାର ୬୧ ‌ଗୋଟି ଶୁଆଙ୍କୁ ଖୋଲା ଆକାଶରେ ମୁକ୍ତ କରାଯାଇଛି। ଗତ ଜାନୁଆରି ମାସରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚାଲାଣକାରୀମାନଙ୍କ ଠାରୁ ଏହି ଶୁଆମାନଙ୍କୁ ଜବତ କରାଯାଇଥିଲା। ଆଜି ସକାଳ ୭ଟା ୩୦ରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ମୁଖ୍ୟ ବନ୍ୟ ସଂରକ୍ଷକ ସୁଶାନ୍ତ ନନ୍ଦଙ୍କ ଉପସ୍ଥିତିରେ ଶୁଆଗୁଡ଼ିକୁ ମୁକ୍ତ କରିଦିଆଯାଇଛି।
ରାଉରକେଲା ବନଖଣ୍ଡ ଅଧିକାରୀ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହିଛନ୍ତି, ମୋଟ ୧୨୨ଟି ନବଜାତ ଶୁଆଙ୍କୁ ପକ୍ଷୀ ମାଫିଆ ତାହିର ଅନସାରୀ, ମୁନା ସାହୁ ଓ ମହମ୍ମଦ ଥମାସଙ୍କ ବିରୋଧରେ ପାନପୋଷ ରେଞ୍ଜର ବନ୍ୟ ଜନ୍ତୁ ଆଇନ୍‌ ୧୯୭୨ର ଧାରା ୯ ଅନୁଯାୟୀ ଆସାମୀମାନଙ୍କୁ ଏସ୍‌ଡିଜେଏମ୍‌ ହେପାଜତରେ ଦିଆଯାଇଥିଲା। ୧୨୨‌ଗୋଟି ନବଜାତ ଶୁଆଙ୍କୁ ଚାଲାଣକାରୀମାନଙ୍କ ଠାରୁ ଉଦ୍ଧାର କରାଯାଇଥିଲା। ପକ୍ଷୀଚୋରମାନେ ଏହାକୁ ନେଇ ଭୁବନେଶ୍ବରରେ ଗୋଟିଏ ପିଛା ୫୦୦ ଟଙ୍କାରେ ହିସାବରେ ବିକ୍ରି କରିଥାନ୍ତେ। ମାତ୍ର ରାଉରକେଲା ଡିଏଫଓ ଯଶବନ୍ତ ସେଠୀଙ୍କ ଉପସ୍ଥିତ ବୁଦ୍ଧି ଓ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଶୁଆଗୁଡ଼ିକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇଥିବା ନବଜାତ ଶୁଆମାନଙ୍କର ରକ୍ଷଣାବେକ୍ଷଣ ପାଇଁ ମୋବାଇଲ ଭେଟେନାରି ୟୁନିଟ ତତ୍ତ୍ବାବଧାନରେ ଖାଇବା ପାଇଁ ସେରେଲାକ୍‌, ବିଭିନ୍ନ ପ୍ରକାରର ମଂଜି, ଫଳ, ଔଷଧ ତଥା ପନିପରିବା ଦେଇ ସେମାନଙ୍କୁ ବଞ୍ଚାଯାଇଥିଲା।
ଶୁଆମାନଙ୍କୁ ଟେନ୍‌ସା ଜଙ୍ଗଲରେ ମୁକ୍ତ କରିବା ସମୟରେ ରାଉରକେଲା ସର୍କଲ ଆଞ୍ଚଳିକ ମୁଖ୍ୟ ସଂରକ୍ଷଣକାରୀ ପି ରାମାସ୍ବାମୀ, ଏସିଏଫ୍‌ ସୌମ୍ୟ ରଂଜନ ଗୋଚ୍ଛାୟତ, ପ୍ରାଣୀ ଚିକିତ୍ସକ ଡକ୍ଟର ଆର.କେ ସାମନ୍ତରାୟ ଓ ବନରକ୍ଷୀ ପ୍ରଦୀପ ସାହୁ ଉପସ୍ଥିତ ଥିଲେ।