କଟକ: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଋଣ ମାମଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ । ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ସୁଯୋଗ ଦେବାକୁ ଏବଂ ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିବାକୁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି ।
ଏହା ସହ ଜରିମାନା ରାଶି ଆଦାୟ ଉପରେ ରୋକ ଲଗାଇବା ପାଇଁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ।
ଓଆରଏଚଡିସି ଦୁର୍ନିତି ମାମଲାରେ ୨୦୨୨ ଅକ୍ଟୋବରରେ ବାରବାଟୀ-କଟକ ବିଧାୟକ ମୋକିମଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ । ତଳ କୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଥିଲେ । ଯାହାକୁ ଚାଲେଞ୍ଜ କରି ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୋକିମ । ଏହି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୧୯କୁ ଧାର୍ଯ୍ୟ କରାଯାଇଛି ।