Onn 3

ଟିକେଟ୍ ଘୋଷଣା ପରେ ବିଜେଡିରେ ବିସ୍ଫୋରଣ: ଏକାଧିକ ଅସନ୍ତୁଷ୍ଟ ଏବେ ବିଦ୍ରୋହୀ ପ୍ରାର୍ଥୀ

State

ଭୁବନେଶ୍ବର : ରାଜ୍ୟର ୭୨ ବିଧାନସଭା ଓ ୧୫ଟି ଲୋକସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଦଳରେ ବିସ୍ଫୋରକ ପରିସ୍ଥିତି ଉପୁଜିଛି। ରାୟଗଡ଼ାଠୁ ଆରମ୍ଭ କରି କଟକ ଓ ଯାଜପୁର ପର୍ଯ୍ୟନ୍ତ ସବୁଆଡ଼େ ଦଳୀୟ କନ୍ଦଳ ବଢ଼ିବାରେ ଲାଗିଛି। ଏକାଧିକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଅସନ୍ତୁଷ୍ଟ ନେତାମାନେ ଦଳ ବିରୁଦ୍ଧରେ ବିଦ୍ରୋହ କରିବାର ସଙ୍କେତ ଦେଇଛନ୍ତି। ଟିକେଟ୍ ଘୋଷଣା ପୂର୍ବରୁ ଦଳ ସ୍ଥାନୀୟ ନେତାମାନଙ୍କୁ ଭରସାକୁ ନନେଇ ଏକତରଫା ଭାବେ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାରୁ ଦଳରେ ଏଭଳି ବିସ୍ଫୋରକ ପରିସ୍ଥିତି ଦେଖାଦେଇଛି।
ସୂଚନା ଅନୁସାରେ, ରାୟଗଡ଼ା ବିଧାନସଭା ପାଇଁ ଅନୁସୂୟା ମାଝୀଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ଦଳର ଦୁଇ ଗୋଷ୍ଠୀ ସିଧାସଳଖ ଭାବେ ଅନୁସୂୟାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବିଜେଡିର ସ୍ଥାନୀୟ ନେତାମାନେ ଦଳରୁ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। ଏପରିକି କେତେକ କାଉନସିଲର ମଧ୍ୟ ଦଳ ଛାଡ଼ିଥିବା ଜଣାପଡ଼ିଛି। ରାୟଗଡ଼ା ବିଧାନସଭା ପ୍ରାର୍ଥୀଙ୍କୁ ନେଇ ସମଗ୍ର ନିର୍ବାଚନମଣ୍ଡଳୀରେ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। କାହାରି ପରାମର୍ଶ ନନେଇ କିଭଳି ଅନୁସୂୟାଙ୍କୁ ପ୍ରାର୍ଥୀ କରାଗଲା ବୋଲି ଦଳର ସ୍ଥାନୀୟ ନେତାମାନେ ପ୍ରଶ୍ନ କରିଛନ୍ତି। କଂଗ୍ରେସର ପୂର୍ବତନ ବିଧାୟକ ଅନନ୍ତରାମ ମାଝୀଙ୍କ ଝିଅ ଅନୁସୂୟା ପୂର୍ବରୁ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ଥିଲେ ଓ ପରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ବିଜେଡିରେ ସାମିଲ ହୋଇ ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ଥିଲେ। ଏବେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅଛନ୍ତି।
ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଜିଲ୍ଲା ଯାଜପୁରର ଧର୍ମଶାଳା ବିଧାନସଭା ମଣ୍ଡଳୀରେ ବିଜେଡି ଦୁଇଫାଳ ହୋଇଛି। ସେଠାରେ ଦଳର ଆଗଧାଡ଼ିର ନେତା ସତୀଶ ବିଶ୍ୱାଳ ଖୋଲାଖୋଲି ଭାବେ ବିଜେଡିର ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉଠାଇଛନ୍ତି। ପ୍ରଣବ ବଳବନ୍ତରାୟଙ୍କୁ ପୁଣିଥରେ ଟିକେଟ୍ ଦିଆଯିବାକୁ ନେଇ କ୍ଷୁବ୍ଧ ସତୀଶ ନିଶ୍ଚିତ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ ଓ ପ୍ରଣବଙ୍କୁ ଧର୍ମଶାଳାରୁ ହରାଇବେ ବୋଲି ଚେତାବନୀ ଦେଇଛନ୍ତି। ସେ ବିଜେଡିରୁ ଇସ୍ତଫା ମଧ୍ୟ ଦେଇଛନ୍ତି।
ସେହିପରି କଟକ-ଚୌଦ୍ୱାର ଆସନରୁ ସୌଭିକ ବିଶ୍ୱାଳଙ୍କୁ ପୁଣିଥରେ ଟିକେଟ୍ ମିଳିବା ପରେ ସ୍ଥାନୀୟ ପ୍ରଭାଶାଳୀ ନେତ୍ରୀ ରୂପାଲି ଲେଙ୍କା ଗଣମାଧ୍ୟମକୁ ଆସି ବିରୋଧ କରିଛନ୍ତି। ସେ ସୌଭିକଙ୍କ ବିରୁଦ୍ଧରେ ସ୍ୱାଧୀନ ଭାବେ ଲଢ଼ିବେ। ଆଉ ଜିତିବା ପରେ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି। ଏହାସହିତ ସୌଭିକ ଓ ତାଙ୍କ ପିତା ପ୍ରଭାତ ବିଶ୍ୱାଳ ଦଳୀୟ ନେତୃତ୍ୱଙ୍କ ବିରୁଦ୍ଧରେ କିଭଳି ମନ୍ତବ୍ୟ ଦେଉଛନ୍ତି ତା’ର ଏକ ଅଡିଓ ରେକର୍ଡ ମଧ୍ୟ ଭାଇରାଲ କରିଛନ୍ତି।
ସେହିପରି ନିଆଳିରେ ପ୍ରମୋଦ ମଲ୍ଲିକଙ୍କୁ ବିଜେଡି ପୁଣିଥରେ ଟିକେଟ୍ ଦେବାପରେ ସେଠାରେ ଯୁବନେତା ତୃପ୍ତିରଞ୍ଜନ ବେହେରା ମଧ୍ୟ ସ୍ୱର ଉଠାଇଛନ୍ତି। ପ୍ରମୋଦଙ୍କ ଭଳି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ କିଭଳି ଦଳ ପୁଣି ଟିକେଟ୍ ଦେଲା କହି ତାଙ୍କ ବିରୁଦ୍ଧରେ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।
ଅନୁରୂପ କନ୍ଦଳ ମଧ୍ୟ ପାଟକୁରା, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଜୁନାଗଡ଼ ଆଦି ସ୍ଥାନରେ ଦେଖିବାକୁ ମିଳିଛି। ଦଳୀୟ ନେତାମାନେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି।
ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ପରଠୁ ପ୍ରାୟତଃ ଅଧିକାଂଶ ସ୍ଥାନରେ ଅସନ୍ତୁଷ୍ଟ ନେତାମାନେ ମେଳି ବାନ୍ଧିବାରେ ଲାଗିଛନ୍ତି। ଦଳ ଏହି ଅସନ୍ତୁଷ୍ଟକୁ ଏଡ଼ାଇବା ପାଇଁ ଆଗୁଆ ପଦକ୍ଷେପ ନେଇନଥିବାରୁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛ।
ବିଜେଡି ଗତକାଲି ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ବାସ୍ତବ ଭାବେ ମାତ୍ର ୩ଜଣ ବିଧାୟକଙ୍କ ଟିକେଟ୍ କାଟିଛି। ସେମାନେ ହେଲେ ବସ୍ତାରୁ ନିତ୍ୟାନନ୍ଦ ସାହୁ , ଧର୍ମଗଡ଼ରୁ ମୌସୁଧି ବାଗ ଓ ପାଟକୁରାରୁ ସାବିତ୍ରୀ ଅଗ୍ରୱାଲ। ଅନ୍ୟ ଯେଉଁ ୮ଜଣଙ୍କ ଟିକେଟ୍ କଟିଛି ସେମାନଙ୍କର ପୁଅ, ଝିଅ, ପତ୍ନୀ, ଭାଇ ଓ ଭଉଣୀଙ୍କୁ ଦଳ ଟିକେଟ୍ ଦେଇ ସନ୍ତୁଷ୍ଟ କରିଛି।
ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ବଦଳରେ ତାଙ୍କ ପତ୍ନୀ ନବୀନା, ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବଦଳରେ ତାଙ୍କ ଭାଇ ରମେଶ ମାଝୀ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କ ବଦଳରେ ତାଙ୍କ ଭାଇ ମନୋହର ରନ୍ଧାରୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବଦଳରେ ତାଙ୍କ ପତ୍ନୀ ସଂଘମିତ୍ରା, ଚିକିଟି ବିଧାୟିକା ଉଷା ଦେବୀଙ୍କ ପରିବର୍ତ୍ତେ ତାଙ୍କ ପୁଅ ଚିନ୍ମୟାନନ୍ଦ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ବଦଳରେ ତାଙ୍କ ପତ୍ନୀ କୌଶଲ୍ୟାଙ୍କୁ ଦଳ ଟିକେଟ୍ ଦେଇଛି। ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଓ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି।