Onn 3

ପିଓକେ ଲୋକେ ଭାରତ ସହିତ ମିଶ୍ରଣ ଚାହୁଁଛନ୍ତି, ଆକ୍ରମଣ କରିବାର ଆବଶ୍ୟକତା ନାହିଁ : କହିଲେ ରାଜନାଥ

National & International

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ଭାରତ ସହିତ ମିଶ୍ରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆମକୁ ଆକ୍ରମଣ କରିବା ଏବଂ ଦଖଲ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ସେଠାରେ ଏପରି ପରିସ୍ଥିତି ସୃଷ୍ଟି ହେଉଛି ଯେ ସେଠାକାର ଜନସାଧାରଣ ଭାରତ ସହ ମିଶ୍ରଣ ପାଇଁ ଦାବି କରୁଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ଆଜି ପର୍ଯ୍ୟନ୍ତ ଭାରତ ଦୁନିଆର କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ କିମ୍ବା କାହାର ଜମିର ଏକ ଇଞ୍ଚ ଦଖଲ କରିନାହିଁ। ଏହା ଆମର ନୀତି। ମୁଁ ଏହା ମଧ୍ୟ କହୁଛି ପିଓକେ ଆମର। ମୋର ବିଶ୍ୱାସ ପିଓକେ ନିଜେ ଭାରତକୁ ଆସିବ।
ପିଓକେ ସମ୍ବନ୍ଧରେ କୌଣସି ଯୋଜନା କରାଯାଇଛି କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମୁଁ ଏ ବିଷୟରେ କିଛି କହିବି ନାହିଁ କିମ୍ବା ମୁଁ କହିବା ଉଚିତ୍ ମଧ୍ୟ ନୁହେଁ । ଭାରତ ବର୍ତ୍ତମାନ ଚୀନ୍ ଠାରୁ କୌଣସି ବିପଦରେ ଅଛି କି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯଦି କୌଣସି ବିପଦ ଥାଏ, ତେବେ ଆମେ ଏହାର ମୁକାବିଲା କରିବୁ। ଭାରତ ଆଉ ଦୁର୍ବଳ ଭାରତ ନୁହେଁ। ଭାରତ ବିଶ୍ୱରେ ଏକ ଶକ୍ତିଶାଳୀ ଦେଶ ହୋଇପାରିଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭାରତର ୨,୦୦୦ବର୍ଗ କିଲୋମିଟର ଅଞ୍ଚଳ ବର୍ତ୍ତମାନ ଚୀନ୍ ଅଧୀନରେ ଅଛି। ଏହା ଉପରେ ରାଜନାଥ କହିଛନ୍ତି ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ରାହୁଲ ଆମର ଯବାନମାନଙ୍କ ସାହସିକତା ଏବଂ ବୀରତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି। ସେ ଏପରି ବିବୃତ୍ତିରୁ ଦୂରେଇ ରହିବା ଉଚିତ୍। ୧୯୬୨ ମସିହାରେ ଚୀନ୍ ଦ୍ୱାରା ଭାରତର କେତେ ଜମି ଦଖଲ କରାଯାଇଥିଲା ନେଇ ସେ କହିଛନ୍ତି ମୁଁ ସେହି ସବୁ ବିଷୟରେ ମନେ ପକାଇବାକୁ ଚାହେଁ ନାହିଁ, କିନ୍ତୁ ସଭିଏଁ ନିଶ୍ଚିତ ରୁହନ୍ତୁ ଆମେ ଭାରତର ଏକ ଇଞ୍ଚ ମଧ୍ୟ ଯିବାକୁ ଦେବୁ ନାହିଁ । ଏଠାରେ ଅନେକତଥ୍ୟ ଅଛି ଯାହା ମୁଁ ଏଠାରେ ପ୍ରକାଶ କରିପାରିବି ନାହିଁ କାରଣ ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ଚାଲିଛି। କଥାବାର୍ତ୍ତା ଭଲ ଚାଲିଛି।
ଚୀନ୍ ଭାରତ ଉପରେ ଆକ୍ରମଣ କରିପାରିବ କି ପ୍ରଶ୍ନ ନେଇ ସେ କହିଛନ୍ତି ଭଗବାନ ସେମାନଙ୍କୁ ଜ୍ଞାନ ଦିଅନ୍ତୁ ଯେପରି ସେମାନେ ଏପରି କାର୍ଯ୍ୟ ନ କରନ୍ତି। ଭାରତର ନୀତି ହେଉଛି ଯେ ଭାରତ କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ କିମ୍ବା ଏକ ଇଞ୍ଚ ଜମି ମଧ୍ୟ ଦଖଲ କରି ନାହିଁ। ଏପରିକି ଭାରତ ମଧ୍ୟ କାହାକୁ ପରିହାସ କରେ ନାହିଁ, କିନ୍ତୁ ଯଦି କେହି ଭାରତର ସମ୍ମାନକୁ ଆଘାତ କରେ, ତେବେ ଭାରତର ମଧ୍ୟ ଉପଯୁକ୍ତ ଉତ୍ତର ଦେବାର କ୍ଷମତା ଅଛି। ହଁ, ଆମେ ଆମ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ଚାହୁଁ।
ଏହା ପୂର୍ବରୁ ଅମିତ ଶାହା କହିଥିଲେ ବିଭାଜନ ସମୟରେ କଂଗ୍ରେସ କହିଥିଲା ପାକିସ୍ତାନରୁ ଆସୁଥିବା ସଂଖ୍ୟାଲଘୁଙ୍କୁ ଭାରତରେ ସ୍ୱାଗତ କରାଯିବ। କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଆମେ ପୂରଣ କରିଛୁ।
ମାର୍ଚ୍ଚ ୧୫ ରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ। ସେଠାରେ ରହୁଥିବା ସମସ୍ତ ଲୋକ ଭାରତୀୟ, ସେମାନେ ହିନ୍ଦୁ କିମ୍ବା ମୁସଲମାନ ହୁଅନ୍ତୁ। ଇଣ୍ଡିଆ ଟୁଡେ କନକ୍ଲେଭରେ ବାର୍ତ୍ତାଳାପ ବେଳେ ଶାହା ଏହି କଥା କହିଥିଲେ। ଶାହା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଉପରେ ମଧ୍ୟ କହିଥିଲେ। ମୁସଲମାନମାନଙ୍କୁ ଏହି ଆଇନର ପରିସରରୁ ଦୂରେଇ ରଖିବା ଉପରେ ସେ କହିଛନ୍ତି ସିଏଏ ଅଧୀନରେ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ପାର୍ସୀ ଶରଣାର୍ଥୀ ଯେଉଁମାନେ ପାକିସ୍ଥାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତ୍ୱ ଦିଆଯିବ। ଏହି ତିନୋଟି ହେଉଛି ଇସଲାମିକ ଦେଶ । ସେଠାରେ ମୁସଲମାନମାନଙ୍କ ଉପରେ କୌଣସି ଅତ୍ୟାଚାର ହେଉନାହିଁ।