ଜନ ପ୍ରତିନିଧିତ୍ୱ ଅଧିନିୟମ ଉଲଂଘନ ପାଇଁ ଜିଲ୍ଲାପାଳ ନେଲେ ଦୃଢ ପଦକ୍ଷେପ
ନିର୍ବାଚନ ସମୟରେ ଜନ ପ୍ରତିନିଧିତ୍ୱ ଅଧିନିୟମ ଉଲଂଘନ ଯୋଗୁଁ ବସ ମାଲିକ ଗିରଫ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ନିୟମ ଅଵଜ୍ଞାକାରୀ ମାନଙ୍କ ଉପରେ ନେଉଛନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ। ସୂଚନା ଥାଉକି, ଏକକାଳୀନ ସାଧାରଣ ନିର୍ବାଚନ ପାଇଁ, ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଅନୁସାରେ, ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଏକ ବସ (OD11L9159) କୁ ତାଙ୍କ ମାଲିକଙ୍କ ଦ୍ୱାରା କାର୍ଯ୍ୟରେ ନିୟୋଜିତ ହେବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଜିଲ୍ଲାପାଳ ଏହି ବସକୁ ଉତ୍ତମ ଅବସ୍ଥା ଏବଂ ଚାଳକ ସହିତ ତା ୨୦.୦୩.୨୦୨୪ ପୂର୍ବାହ୍ନ ୧୧ଟା ସୁଦ୍ଧା ରିଜର୍ଭ ପୋଲିସ ଇନ୍ସପେକ୍ଟର, ବାରିପଦାଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ବସର ମାଲିକ, ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଉଲଂଘନ କରି ଏହି ଗାଡ଼ିଟିକୁ ଧାର୍ଯ୍ୟ ସମୟ ଏବଂ ସ୍ଥାନରେ ଉପସ୍ଥାପନ କରିନଥିଲେ। ଯାହାଫଳରେ, ଜିଲ୍ଲାପାଳ, ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୭ ପ୍ରୟୋଗ କରି, ଯମୂନାଦେଇପୁର, ଭଂଜପୁର ନିବାସୀ, ବସର ମାଲିକ, ଶ୍ରୀ ପ୍ରସନ୍ନ ବାରିକ ଙ୍କୁ ଗିରଫ କରିବା ପାଇଁ ରିଜର୍ଭ ପୋଲିସ ଇନ୍ସପେକ୍ଟର, ବାରିପଦାଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ତତ୍ସହିତ ସେହି ବସକୁ ଜବତ କରି ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଧେଶ କରା ଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଏହା ମଧ୍ୟ କହିଛନ୍ତିଯେ, ନିର୍ବାଚନ ସମୟରେ ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଏବଂ ଆଚରଣ ସଂହିତାର ଉଲ୍ଲଙ୍ଘନ ହେଲେ, ନିୟମ ଆଧାରରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।