Spices Adulteration Unit

ବ୍ରହ୍ମପୁରରେ ମସଲା ଅପମିଶ୍ରଣ କାରଖାନା ଠାବ, ମାଲିକ ଅଟକ

Crime State

ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗରରେ ଥିବା ଏକ ଅପମିଶ୍ରିତ ମସଲା କାରଖାନା ଉପରେ ପୁଲିସ ଚଢ଼ାଉ କରି ବନ୍ଦ କରିଦେଇଛି। ବ୍ରଜରାଜନଗରର ଚାରି ନମ୍ବର ଗଳିରେ ଥିବା ଏକ ଘରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଭଳି ଅପମିଶ୍ରିତ ମସଲା ପ୍ରସ୍ତୁତ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ବିନା ଲାଇସେନ୍ସରେ ମାଲିକ ବ୍ରହ୍ମପୁର ବଜାର ସମେତ ସ୍ଥାନୀୟ ବଜାରକୁ ଏହି ସାମଗ୍ରୀ ବଣ୍ଟନ କରୁଥିବା ସୂଚନା ମିଳିଛି।

ଚଢ଼ାଉ କରି ପୁଲିସ ବିପୁଳ ପରିମାଣର ମସଲା, କଞ୍ଚାମାଲ ଓ ପ୍ୟାକେଜିଂ ସାମଗ୍ରୀ ଜବତ କରିଥିଲା। କିନ୍ତୁ କୌଣସି ପ୍ୟାକେଟର ଲେବଲ୍ ଲଗାଯାଇ ନ ଥିଲା। ଏହାପରେ ବ୍ରହ୍ମପୁର ମହାନଗର ନିଗମର ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଡକାଯାଇ ଲ୍ୟାବ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି।

ମାଲିକ ଶିବ ଶଙ୍କର ସାହୁ ଫୁଡ୍ ଲାଇସେନ୍ସ କିମ୍ବା ବ୍ରହ୍ମପୁର ମହାନଗର ନିଗମ ଲାଇସେନ୍ସ ଭଳି କୌଣସି ଆବଶ୍ୟକ କାଗଜପତ୍ର ଦେଇପାରିନଥିଲେ। ଫଳରେ ପୁଲିସ ଗୋଦାମକୁ ସିଲ୍ କରିବା ସହ ଶ୍ରୀ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି। ବ୍ରହ୍ମପୁର ବଜାର ଓ ଆଖପାଖ ବଜାରକୁ ସାମଗ୍ରୀ ବଣ୍ଟନ କରାଯାଉଥିବା କର୍ମଚାରୀମାନେ ପଚରାଉଚରା ବେଳେ ପ୍ରକାଶ କରିଛନ୍ତି। ଶଙ୍କର ସାହୁ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଆଇନଗତ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସୂଚନା ମିଳିଛି।