Onn 3

୩୨ ବର୍ଷର ଲଢ଼େଇ, ମୃତ୍ୟୁ ପରେ ମିଳିଲା ନ୍ୟାୟ

State

କଟକ: ଦୀର୍ଘ ୩୨ ବର୍ଷର ନ୍ୟାୟିକ ଲଢ଼େଇ ଏବଂ ମୃତ୍ୟୁର ୪ ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟରୁ ନ୍ୟାୟ ମିଳିଛି। ନ୍ୟାୟ ପାଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ପୁଲିସ କନଷ୍ଟେବଳ ଚାକିରି କରିଥିବା ସ୍ବର୍ଗତ ଦୁର୍ଯୋଧନ ବେହେରା। ସାମାନ୍ୟ କଥାକୁ ନେଇ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ୧୯୯୨ ମେ’ ୩୧ର ଦିଆଯାଇଥିବା ତାଙ୍କ ବହିଷ୍କାର ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥିସହିତ ସେ ପେନସନ୍‌ ପାଇବାକୁ ଯୋଗ୍ୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ୨୦୨୦ ସେପ୍ଟେମ୍ବର୍‌ ୨୦ରେ କନଷ୍ଟେବଳ ଦୁ‌ର୍ଯୋଧନ ବେହେରାଙ୍କ ମୃତ୍ୟୁ ‌ଘଟିଥିବା ବେଳେ ଏବେ ତାଙ୍କ ପତ୍ନୀଙ୍କୁ ପରିବାର ପେନସନ୍ ପ୍ରଦାନ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଦୁର୍ଯୋଧନ ୧୯୯୦ରେ ବ୍ରଜରାଜନଗର ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ବେଳେ ପାଖ କ୍ବାର୍ଟରରୁ ଏକ ଟେବୁଲ୍‌ ଫ୍ୟାନ୍ ନେଇଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ ହୋଇଥିବା ବେଳେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ୧୯୯୨ ମେ ୩୧ରେ ଦୁର୍ଯୋଧନଙ୍କୁ ଚାକିରିରୁ ବହିଷ୍କାର ପାଇଁ ସମ୍ବଲପୁର ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଫୌଜଦାରୀ ମାମଲାର ଝାରସୁଗୁଡ଼ା ‌ଜେଏମ୍‌ଏଫ୍‌ସି ଅଦାଲତ ୨୦୦୧ ଅକ୍ଟୋବରରେ ଦୁ‌ର୍ଯୋଧନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ନିର୍ଦ୍ଦୋଷ ଘୋଷଣା ପରେ ତାଙ୍କୁ ଚାକିରିରୁ ବହିଷ୍କାର ପାଇଁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ରଦ୍ଦ କରାଯାଉ ବୋଲି ଦୁର୍ଯୋଧନ ଦାବି କରିଥିଲେ। କିନ୍ତୁ ଦୁର୍ଯୋଧନଙ୍କ ଦରଖାସ୍ତକୁ ୨୦୦୫ରେ ଉତ୍ତରାଞ୍ଚଳ ଡିଆଇଜି ଖାରଜ କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ସେ ପୁଲିସ ଡିଜି ଓ ଆଇଜିଙ୍କ ନିକଟରେ ଦାୟର କରିଥିବା ପୁନର୍ବିଚାର ଆବେଦନ ୨୦୦୮, ମେ’ ୮ରେ ଖାରଜ ହୋଇଥିଲା। ଏହାକୁ ବିରୋଧ କରି ଦୁର୍ଯୋଧନ ୨୦୧୫ରେ ରାଜ୍ୟ ପ୍ରାଶାସନିକ ଟ୍ରିବୁନାଲ୍‌ (ସ୍ୟାଟ୍)ରେ ମାମଲା ଦାୟର କରିଥିଲେ। ସ୍ୟାଟ୍ ଉଚ୍ଛେଦ ପରେ ମାମଲା ଶୁଣାଣି ପାଇଁ ହାଇକୋର୍ଟକୁ ଆସିଥିଲା। ଏହି ମାମଲା ବିଚାରାଧୀନ ଥିବା ବେଳେ ୨୦୨୦ ସେପ୍ଟେମ୍ବର୍‌ ୨୦ରେ ଦୁର୍ଯୋଧନଙ୍କ ମୃତ୍ୟୁ ହୋଇଥିଲା। ମାମଲାରେ ଦୁର୍ଯୋଧନଙ୍କ ପତ୍ନୀ ମଉଦା ବେହେରା ଓ ତିନି ଝିଅ ଆବେଦନକାରୀ ଭାବେ ପକ୍ଷଭୁକ୍ତ ‌ହୋଇଥିଲେ।
ହାଇକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ଯେ ସମାନ ଅଭିଯୋଗ ଆଧାରରେ ଦୁଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଫୌଜଦାରୀ ମାମଲାର ରାୟ ପ୍ରକାଶ ପୂର୍ବରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚୂଡାନ୍ତ କରି ବହିଷ୍କାର ନିର୍ଦ୍ଦେଶ କର୍ତ୍ତୃପକ୍ଷ ପ୍ରଦାନ କରିବା ଉଚିତ ନଥିଲା। ସ୍ବାଭାବିକ ଭାବେ କାର୍ଯ୍ୟ କରିଥିଲେ ଦୁର୍ଯୋଧନ ୨୦୧୫ ଜୁଲାଇ ୩୧ରେ ଅବସର ଗ୍ରହଣ କରିଥାନ୍ତେ। ଏଭଳି ସ୍ଥିତିରେ ଅବସର ବୟସ ପର୍ଯ୍ୟନ୍ତ ଦୁର୍ଯୋଧନ ଚାକିରିରେ କାର୍ଯ୍ୟ ଜାରି ରଖିଥିଲେ ବୋଲି ଗ୍ରହଣ କରାଯାଇ ତାଙ୍କୁ ୨୦୧୫ ଜୁଲାଇ ୧ରୁ ୨୦୨୦ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ପେନସନ୍ ପ୍ରଦାନ କରାଯିବ। ତାଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ୨୦୨୦ ସେପ୍ଟେମ୍ବର ୨୧ରୁ ପରିବାର ପେନସନ୍ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୨ ମେ ୩୧ରୁ ଅବସର ବୟସ ପର୍ଯ୍ୟନ୍ତ ଦୁର୍ଯୋଧନ କାର୍ଯ୍ୟରେ ନ‌ିୟୋଜିତ ହୋଇ ନଥିବାରୁ ଏହି ଅବଧି ପାଇଁ ସେ କୌଣସି ଆର୍ଥିକ ସୁବିଧା ପାଇ ପାରିବେ ନାହିଁ। କେବଳ ଏହି ଅବଧି ପାଇଁ ତାଙ୍କ ଚାକିରି ନିୟମିତ କରାଯିବ। ତିନି ମାସ ଭିତରେ ଦୁର୍ଯୋଧନଙ୍କ ପେନସନ୍, ଅନ୍ୟ ଅବସରକାଳୀନ ପ୍ରାପ୍ୟ ଓ ତାଙ୍କ ପତ୍ନୀଙ୍କୁ ପରିବାର ପେନସନ୍ ପ୍ରଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ସମ୍ବଲପୁର ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଯୋଧନଙ୍କ ପତ୍ନୀଙ୍କୁ ଏକ ମାସ ଭିତରେ ପ୍ରୋଭିଜନାଲ୍‌ ପେନସନ୍ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଆାବେଦନକାରୀଙ୍କ ତରଫରୁ ଆଇନଜୀବୀ ଡକ୍ଟର୍‌ ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଥିଲେ।