Gid7bzdwiaawacn 750x430

ପାକିସ୍ତାନୀ ଡଙ୍ଗାରୁ ଜବତ ହେଲା ୪୮୦ କୋଟିର ଡ୍ରଗ୍ସ, ୬ ଗିରଫ

National & International

ପୋରବନ୍ଦର : ଗୁଜରାଟର ପୋରବନ୍ଦର ଉପକୂଳରୁ ୩୫୦ କିଲୋମିଟର ଦୂର ଆରବସାଗରରୁ ଏକ ପାକିସ୍ତାନୀ ବୋଟରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି । ଗୁଜରାଟ ଏଟିଏସ୍, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏନସିବିର ମିଳିତ ଅପରେସନରେ ଉକ୍ତ ବୋଟରେ ଥିବା ୬ ଜଣ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି। ଧରାପଡ଼ିଥିବା ପାକିସ୍ତାନୀମାନଙ୍କୁ ପୋରବନ୍ଦର ଅଣାଯାଉଛି ।

ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ, ଏନସିବି ଏବଂ ଏଟିଏସ ଏକ ମିଳିତ ଅପରେସନ କରି ମାର୍ଚ୍ଚ ୧୧-୧୨ ମଧ୍ୟରାତ୍ରିରେ ଏକ ପାକିସ୍ତାନୀ ଡଙ୍ଗାକୁ ଜବତ କରିଥିଲେ। ସେଥିରେ ୬ ଜଣ କର୍ମଚାରୀ ଥିଲେ। ସେମାନଙ୍କ ଠାରୁ ପାଖାପାଖି ୪୮୦ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ ହୋଇଛି।

କୋଷ୍ଟଗାର୍ଡ ଜାହାଜ ଦ୍ୱାରା ଅଟକିବାକୁ ନିର୍ଦ୍ଦେଶ ଦିଆଯିବାପରେ ଡଙ୍ଗାଟି ପଳାଇଯିବାକୁ ଉଦ୍ୟମ କରିଥିଲା। ତା’ପରେ କୋଷ୍ଟଗାର୍ଡ ପକ୍ଷରୁ ଉକ୍ତ ଡଙ୍ଗାକୁ ପିଛା କରି ତାହାକୁ କବଜାକୁ ଅଣାଯାଇଥିଲା । ବୋର୍ଡିଂ ଟିମ୍ ତୁରନ୍ତ ପ୍ରାଥମିକ ଯାଞ୍ଚ ପାଇଁ ଜାହାଜରେ ଚଢ଼ିଥିଲେ। ମିଳିତ ବୋର୍ଡିଂ ଟିମ୍ ଦ୍ବାରା ଯାଞ୍ଚ ବେଳେ ୪୮୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୮୦ କିଲୋଗ୍ରାମ ଓଜନର ନିଶା ଦ୍ରବ୍ୟ ଜବତ ହୋଇଥିଲା।

ତଟରକ୍ଷୀ ବାହିନୀ, ଏଟିଏସ୍ ଓ ଏନସିବି ମିଳିତ ଭାବେ ଏପର୍ଯ୍ୟନ୍ତ ଗୁଜରାଟ ଉପକୂଳରୁ ୩୧୩୫ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛନ୍ତି। ଦୁଇବର୍ଷ ତଳେ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ପ୍ରାୟ ୪ ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିଲା । ସେହିମାମଲାର ତଦନ୍ତ ଏନଆଇଏ କରୁଛି ।