13 750x430

କିମ୍ସ ଗ୍ରାମୀଣ ଡାକ୍ତରଖାନା ଓ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ଵର: ଲୋକାର୍ପଣ ହେଲା କିମ୍ସ ଗ୍ରାମୀଣ ଡାକ୍ତରଖାନା । କଟକ ଜିଲ୍ଲା କଲରାବାଙ୍କଠାରେ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜକୁ ଆଭାଷୀ ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି । କଲରାବାଙ୍କ ଠାରେ ହୋଇଥିବା ଏହି ୧୦୦ ଶଯ୍ୟା ବିଶିଷ୍ଟ କିମ୍ସ ଗ୍ରାମୀଣ ଡାକ୍ତରଖାନା ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା ସହ ନୂଆ ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିଜ ଗାଁ ପାଇଁ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ଜୀବନର ଶ୍ରେଷ୍ଠ ସନ୍ତୋଷ। କଲରାବାଙ୍କ ଗାଁର ରୂପାନ୍ତର ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ଯଦି ନିଜ ଗାଁ ନିଜ ମାଟି ପାଇଁ ଦାୟିତ୍ୱର ସହ କାମ କରିବା ତେବେ ରୂପାନ୍ତର ଲକ୍ଷ୍ୟ ଖୁବ୍‌ ଶୀଘ୍ର ପୂରଣ ହେବ। କିମ୍ସ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ ଟି ୧୦୦ ଶଯ୍ୟାବିଶିଷ୍ଟ ହସ୍‌ପିଟାଲ କରାଯାଉଥିବା ଜାଣି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଆମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଲକ୍ଷ୍ୟ ନେଇ ଆମେ କାମ କରୁଛୁ ଏବଂ ଓଡିଶାର ସବୁ ପରିବାର ଯେପରି ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ତାକୁ ଆମେ ପ୍ରାଧାନ୍ୟ ଦେଇ କାମ କରୁଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ ଏହି ହସ୍‌ପିଟାଲରେ ୨୪ ଘଣ୍ଟିଆ ଆପାତକାଳୀନ ସେବା, ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା, ଅତ୍ୟାଧୁନିକ ରୋଗ ନିଦାନ କେନ୍ଦ୍ର, ଆଇସିୟୁ, ସିଟିସ୍କାନ, ଏଚ୍‌ଡିୟୁ, ଏମ୍‌ଆରଆଇ, କ୍ୟାବିନ୍‌, ଅଲଟ୍ରାସାଉଣ୍ଡ, ଓଟି, ଅତ୍ୟାଧୁନିକ ପରୀକ୍ଷାଗାର, ଜେନେରାଲ ୱାର୍ଡ, ଫିଜିଓଥେରାପି କେନ୍ଦ୍ର ଭଳି ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା କିମ୍ସ ପକ୍ଷରୁ ଉପଲବ୍ଧ କରାଯାଇଛି। ଏହି ହସ୍‌ପିଟାଲ BSKY ହିତାଧିକାରୀ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।