High Court

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା: ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

State

କଟକ: କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ । ଆଜି ହାଇକୋର୍ଟ ଓସେପାର ମେରିଟ୍‌ ଲିଷ୍ଟ ଖାରଜ କରିଦେଇଛନ୍ତି । ଏହାସହ ଜିଲ୍ଲାୱାରୀ ମେରିଟ୍‌ ଲିଷ୍ଟକୁ ମଧ୍ୟ ଖାରଜ କରିଛନ୍ତି । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ୨୩ ଅକ୍ଟୋବର ୨୦୨୩ରେ ପ୍ରାୟ ୨୦ ହଜାର ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କିଛିଦିନ ପୂର୍ବେ ଓସେପା ପକ୍ଷରୁ ୧୮ ହଜାର ୮୦୫ ଜଣ ପ୍ରାର୍ଥୀଙ୍କ ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା । ଏଥିରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀ ପ୍ରାର୍ଥୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ।

କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି ତାହା ଜଣାଇବାକୁ ପ୍ରାର୍ଥୀମାନେ ଦାବି କରିଥିଲେ । ପରୀକ୍ଷାରେ କଟଅଫ୍ ମାର୍କ କେତେ ରହିଥିଲା ଓ କାହାର କେତେ ମାର୍କ ରହିଛି ସେ ସବୁର ତଥ୍ୟ ଦେବାକୁ ଆଶାୟୀ ପ୍ରାର୍ଥୀମାନେ ଦାବି କରି ହାଇକୋର୍ଟ ଯାଇଥିଲେ ।

ଜାନୁଆରୀ ୧୯ ତାରିଖରେ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଗତ ୩୧ ତାରିଖରେ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଯାହାର ଆଜି ରାୟ ପ୍ରକାଶ ପାଇଛି ।