Capture 1 750x380

ଶିବ ଦର୍ଶନ ହେଲା ଶେଷ ଦର୍ଶନ, ପାହାଡରୁ ଖସି ଶ୍ରଦ୍ଧାଳୁଙ୍କ ମୃତ୍ୟୁ

State

ରାୟଗଡା: ଦେବଦେବ ମହାଦେବ ଶିବ ଶଙ୍କରଙ୍କ ମହାଜାଗର ଉପଲକ୍ଷେ ଚଳଚଞ୍ଚଳ ରାୟଗଡା ଜିଲ୍ଲାର ବିଭିନ୍ନ ଶୈବ ପୀଠ । ଶ୍ରଦ୍ଧା, ଭକ୍ତି ଓ ବିଶ୍ବାସ ରେ ଜିଲ୍ଲା ବ୍ୟାପି ଶିବମନ୍ଦିର ମାନଙ୍କରେ ଭକ୍ତ ଙ୍କ ପ୍ରବଳ ସମାଗମ ହେଉଛି । ତେବେ ଏହାଭିତରେ ଏକ ଅଘଟଣ ଘଟିଛି ।

କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଦେବଗିରୀ ଶୈବ ପୀଠରେ ପାହାଡ଼ ଉପରକୁ ଯିବାବେଳେ ପାହାଡ଼ ଉପରୁ ଖସି ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣକ ହେଉଛନ୍ତି ଯୋଡ଼ା ଆମ୍ବ ଗାଁ ର ଶ୍ରୀକାନ୍ତ ଗୌଡ଼ ।

ଖବର ମୁତାବକ, ଶ୍ରୀକାନ୍ତ ଗୌଡ଼ ତାଙ୍କ ପରିବାର ସହ ଆଜି ଶିବରାତ୍ରି ଅବସରରେ ଦେବଗିରୀ ଶୈବ ପୀଠକୁ ଦର୍ଶନ କରିବାକୁ ଆସିଥିଲେ । ହେଲେ ପାହାଡ ଚଢିବା ବେଳେ ତାଙ୍କର ଗୋଡ ଖସିଯାଇଥିଲା । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ବେଚ୍ଛାସେବୀ ଓ ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମୀ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଖବରପାଇ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପରେ ପରିବାରକୁ ହସ୍ତାନ୍ତର କରାଯିବ । ତେବେ କେଉଁ ପରିସ୍ତିତିରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।