Download

ସଂଜୟ ସିଂ ଓ ମନୀଷ ସିସୋଦିଆ ପୁଣି ନିରାଶ, ମିଳିଲାନି ଜାମିନ

National & International

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ସଞ୍ଜୟ ସିଂହ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅଦାଲତରୁ ଆଶ୍ୱସ୍ତି ମିଳିନାହିଁ। ଏହି ମାମଲାରେ କୋର୍ଟ ପୁଣି ଥରେ ଉଭୟ ନେତାଙ୍କ ନ୍ୟାୟିକ ହେପାଜତକୁ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ପୂର୍ବ ଶୁଣାଣିରେ ଅର୍ଥାତ୍ ଶନିବାର (ମାର୍ଚ୍ଚ ୨) ଦିନ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଅବକାରୀ ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କ ନ୍ୟାୟିକ ହେପାଜତକୁ ୫ ଦିନ ପାଇଁ ବୃଦ୍ଧି କରିଥିଲେ, ଯାହା ଆଜି ଶେଷ ହୋଇଥିଲା। କିନ୍ତୁ ଆଜି ବି ତାହାକୁ ବଢାଇ ଦେଇଛନ୍ତି କୋର୍ଟ ।
ଇଡି ଗତ ଶୁଣାଣି ସମୟରେ ଯୁକ୍ତି ଦର୍ଶାଇଥିଲା ଯେ ଯେପର୍ଯ୍ୟନ୍ତ କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ରହିଛି, ସିସୋଦିଆଙ୍କ ନିୟମିତ ଜାମିନ ଆବେଦନକୁ ଗ୍ରହଣ କରାଯିବା ଉଚିତ ନୁହେଁ। ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୋହିତ ମାଥୁର କହିଥିଲେ ଯେ କୋଇଲା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ବିଚାରାଧୀନ ଥିବା ସତ୍ତ୍ୱେ ଶୁଣାଣି ଜାରି ରହିଛି।
ସେପଟେ ମଦ ନୀତି ମାମଲାରେ ପଚରାଉଚରା ପାଇଁ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ଥର ସମନ କରିଛି। ଏହାକୁ ବେଆଇନ ଓ ରାଜନୈତିକ ପ୍ରତିଶୋଧ ବୋଲି କହି କେଜ୍ରିୱାଲ ଥରେ ବି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଗରେ ହାଜର ହୋଇନାହାନ୍ତି।