Img 20240302 Wa0338

ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ

State

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ
୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି, ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ

ବାରିପଦା:  ଆଜି ମୟୂରଭଞ୍ଜ ସମେତ ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହୋଇଛ ଆଉ ଏକ ନୂଆ ଫର୍ଦ୍ଦ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍‌ପିଟାଲର ଶୁଭ ଉଦ୍‌ଘାଟନ କରିବା ସହିତ ୪ଟି ମେଡିକାଲ କଲେଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଭିତ୍ତି ରଖିଛନ୍ତି।

ମୟୂରଭଞ୍ଜ ସ୍ଥିତ ବାରିପଦାରେ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଏବଂ ହସ୍‌ପିଟାଲ ଠାରେ ଟିଚିଂ ହସ୍‌ପିଟାଲର ଶୁଭ ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଗଠନ ଦିଗରେ ଏଗୁଡିକ ହେଉଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଦିନଟି ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଷ୍ଟୋନ ହୋଇ ରହିବ। ଆଜି ଗୋଟିଏ ଦିନରେ ୫ଟି ମେଡିକାଲ କଲେଜ ହସ୍‌ପିଟାଲରେ ୨,୯୫୦ ଶଯ୍ୟା ଯୋଡି ହେଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ବଲାଙ୍ଗିରରୁ ବାରିପଦା, ସୁନ୍ଦରଗଡରୁ କେନ୍ଦୁଝର ଓ ବାଲେଶ୍ୱର ସବୁ ଅଞ୍ଚଳର ଜନସାଧାରଣ ଏହା ଦ୍ୱାରା ଉପକାର ପାଇବେ। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି। ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି ମଧ୍ୟ କହିଥିଲେ ଯେ ଦିନ ଥିଲା ଓଡିଶାରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିଲା। ଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ସ୍ନାତକୋତ୍ତର ପ୍ରତିଷ୍ଠାନ ଗଢି ଉଠିଛି। ଆଗାମୀ ଦିନରେ ଆଉ ୩ଟି ମେଡିକାଲ କଲେଜ ମଧ୍ୟ ହେବାକୁ ଯାଉଛି। ପ୍ରତି ବର୍ଷ ଡାକ୍ତର ଓ ପାରାମେଡିକ୍‌ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି। ଆଗରୁ ବର୍ଷକୁ ମାତ୍ର ୩୨୧ ଜଣ ଏମ.ବି.ବି.ଏସ୍‌. ଡାକ୍ତର ଓ ୨୫୪ ଜଣ ସ୍ପେଶିଆଲିଷ୍ଟ ବାହାରୁ ଥିଲେ । ଏବେ ୨୫୨୫ ଏମ.ବି.ବି.ଏସ୍‌. ଡାକ୍ତର ଓ ୯୭୨ ସ୍ପେଶିଆଲିଷ୍ଟ ବାହାରୁଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ 5T ଉପକ୍ରମରେ ଆଜି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆସିଛି। ଲୋକଙ୍କ ସୁବିଧା ପାଇଁ ହସ୍‌ପିଟାଲଗୁଡିକୁ ‘ଆମ ହସ୍‌ପିଟାଲ’ରେ ବିକଶିତ କରାଯାଉଛି।

ଭିତ୍ତିପ୍ରସ୍ତର ଦିଆଯାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନ ବିଷୟରେ ସେ କହିଥିଲେ ଆଜି କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ, ବ୍ରହ୍ମପୁରର ଏମ୍‌.କେ.ସି.ଜି. ମେଡିକାଲ କଲେଜ, ବୁର୍ଲାର ଭିମ୍‌ସାର୍‌ ଓ ରାଉରକେଲାର ଆର.ଜି.ଏଚ୍.କୁ ବିଶ୍ୱସ୍ତରୀୟ ହସ୍‌ପିଟାଲରେ ରୂପାନ୍ତର କରିବା ପାଇଁ ଭିତ୍ତି ଦିଆଗଲା। ଏଥିପାଇଁ ୩ ହଜାର ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ।

ରାଜ୍ୟରେ ପ୍ରଚଳିତ ସ୍ୱାସ୍ଥ୍ୟସେବା ଯୋଜନା ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛୁ। ସରକାରୀ ଡାକ୍ତରଖାନାଗୁଡିକରେ ନୂଆ ନୂଆ ଚିକିତ୍ସା ସୁବିଧାର ମଧ୍ୟ ବିକାଶ କରାଯାଉଛି। ଧନୀ ଗରୀବ ସମସ୍ତଙ୍କୁ ସରକାରୀ ଡାକ୍ତରଖାନାଗୁଡିକରେ ମାଗଣା ଚିକିତ୍ସା ସୁବିଧା ମିଳୁଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏ ରୂପାନ୍ତରକୁ ଆମେ ସମସ୍ତେ ମିଶି ଆହୁରି ଆଗକୁ ନେବା ଓ ‘ସୁସ୍ଥ ଓଡିଶା ସୁଖୀ ଓଡିଶା ଜରିଆରେ ନୂଆ ଓଡିଶାର ଭିତ୍ତିକୁ ମଜବୁତ କରିବା ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଚାଳନା କରିଥିଲେ ଏବଂ ଏ ସବୁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ଗ୍ରାମାଞ୍ଚଳର ସବୁ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବଲପୁରଠାରୁ ଶୁଭାରମ୍ଭ କରିବେ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ କହିଲେ ଯେ ଜିଲ୍ଲାବାସୀଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ମୟୂରଭଞ୍ଜ ବାସୀ କେବେ ବି ଭୁଲିବେ ନାହିଁ। ରୂପାନ୍ତରଣ କ୍ଷେତ୍ରରେ ଓଡିଶାକୁ ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଇତ୍ୟବସରରେ, ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ କର୍ତୃପକ୍ଷ, ଅଧ୍ୟକ୍ଷ ଡଃ ଦେବାଶିଷ ମାରାଣ୍ଡି, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଅଧ୍ୟକ୍ଷା ପ୍ର . ଡଃ ପ୍ରତିଭା ପଣ୍ଡା ଏବଂ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ ପ୍ରମୁଖ ଯୋଗଦାନ କରିଥିଲେ। ଏଥି ସହିତ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମଧ୍ୟ ଏହି ଆଭାସୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଆମ ହସ୍ପିଟାଲ ଭିଡ଼ିଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରସାରଣ କରାଇଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଡି.ଏମ.ଇ.ଟି. ଧନ୍ୟବାଦ ଅର୍ପଣ କରିଥିଲେ।