ଭୁବନେଶ୍ବର : ଗୋଟିଏ ଛାତ ତଳେ ଉପଲବ୍ଧ ହେବ ବରଫ ଦୁନିଆ, ଭୂତ ବଙ୍ଗଳା, ମଲ୍, ଆମାଜନ ଜଙ୍ଗଲ, ବିମାନ ବନ୍ଦର, ରେଳ ଷ୍ଟେସନ, ବଜାର ଓ ଆହୁରି କେତେ କ’ଣ! ସତ ନୁହେଁ, ଫିଲ୍ମ ସୁଟିଂ ପାଇଁ ଆବଶ୍ୟକ ସେଟ୍ ବା ପୃଷ୍ଠଭୂମି। ତେଣୁ ନିର୍ମାତାମାନେ ଆଉ ସୁଟିଂ ପାଇଁ ରାଜ୍ୟ ବାହାରକୁ ଯିବେନି କି ଖର୍ଚ୍ଚାନ୍ତ ହେବେନି। ଭୁବନେଶ୍ବରରେ ହିଁ ଗୋଟିଏ ସ୍ଥାନରେ ଏସବୁ ସହିତ ଫିଲ୍ମ ସୁଟିଂ ଓ ପୋଷ୍ଟ-ପ୍ରଡକ୍ସନ ସଂକ୍ରାନ୍ତ ଅନ୍ୟ ଅନେକ ଅତ୍ୟାଧୁନିକ ସୁବିଧା ମିଳିବ। ପ୍ରାୟ ୨୫ ବର୍ଷ ହେଲା ଏକପ୍ରକାର ଅବ୍ୟବହୃତ ହୋଇ ପଡ଼ିଥିବା କଳିଙ୍ଗ ଷ୍ଟୁଡିଓକୁ ଏହି ରୂପରେ ସଜଡ଼ା ଯାଉଛି। ୨୦୦ କୋଟି ଟଙ୍କାରେ ରୂପାନ୍ତରୀକରଣ ହେଉଥିବା କଳିଙ୍ଗ ଷ୍ଟୁଡିଓର ପ୍ରଥମ ପର୍ଯ୍ୟାୟ କାମ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ଯୋଜନା ରଖା ଯାଇଛି।
ଗତ ଶତାଦ୍ଦୀର ୮୦ ଓ ୯୦ ଦଶକରେ କଳିଙ୍ଗ ଷ୍ଟୁଡ଼ିଓକୁ ଦେଖି ଓଡ଼ିଆ ଫିଲ୍ମ ଦୁନିଆ ଅନେକ ସ୍ବପ୍ନ ଦେଖିଥିଲା। ଏହା ମଧ୍ୟ କୁହା ଯାଇପାରେ ଯେ ଓଡ଼ିଆ ଫିଲ୍ମ ଦୁନିଆର ଅନେକ ସ୍ବପ୍ନର ସାକାର ରୂପ ଥିଲା ଏ ଷ୍ଟୁଡିଓ। ଏହି ଷ୍ଟୁଡିଓ ଓଡ଼ିଆ ପ୍ରଯୋଜକମାନଙ୍କର ମନୋବଳ ବଢ଼ାଇଥିଲା, ଫିଲ୍ମ ପାଇଁ ସେମାନଙ୍କୁ ଆଉ କଲିକତା ବା ମାଡ୍ରାସ (ଚେନ୍ନାଇ) ଯିବା ଦରକାର ପଡ଼ିଲାନି। ସ୍ଥିତି ତ ଏମିତି ଥିଲା ଯେ କଲିକତା, ମାଡ୍ରାସ ସହିତ ଆସାମ ଓ ଦକ୍ଷିଣ ଭାରତର ଅନେକ ରାଜ୍ୟର ଫିଲ୍ମ ନିର୍ମାତା ତାଙ୍କ କାମ ପାଇଁ ଏଠାକୁ ଆସୁଥିଲେ। ତେବେ ବିଭିନ୍ନ କାରଣରୁ ଏହାର ସ୍ଥିତି ଖରାପ ହେବା ଆରମ୍ଭ କରିଥିଲା ଓ ୧୯୯୯ ମହାବାତ୍ୟାର ମାଡ଼ରେ ଷ୍ଟୁଡ଼ିଓଟି ଏକପ୍ରକାର ଭୂଇଁରେ ଲୋଟି ପଡ଼ିଥିଲା। ସେ କ୍ଷତିକୁ ଭରଣା କରିବା ସମ୍ଭବ ହେଲାନାହିଁ, ଯଦିଓ ଏକାଧିକ ବାର ସେଦିଗରେ ପ୍ରୟାସ ହୋଇଥିଲା। ତେବେ ବହୁ ବିଳମ୍ବରେ ହେଲେ ବି ଏକ ସମୟରେ ଷ୍ଟୁଡିଓକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାର ସ୍ଥିର କଲେ। ୨୦୨୧ ମାର୍ଚ୍ଚରେ ପ୍ରକ୍ରିୟା ଆରମ୍ଭ ହେଲା, ୨୦୨୨ ମାର୍ଚ୍ଚ ୨୬ରେ ୨୦୦ କୋଟି ଟଙ୍କା ବ୍ୟୟ ବରାଦରେ ଏହାର ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କଲେ। ଏହି ଷ୍ଟୁଡିଓକୁ ଏକ ‘ଷ୍ଟେଟ୍ ଅଫ୍ ଆର୍ଟ’ ସିନେମା ଷ୍ଟୁଡିଓ ଭାବେ ବିକଶିତ କରାଯିବାକୁ ଲକ୍ଷ୍ୟ ରଖା ଯାଇଥିଲା, ଯାହା ମୁମ୍ବାଇ ଓ କୋଲକାତାର ଅତ୍ୟାଧୁନିକ ଷ୍ଟୁଡିଓଙ୍କ ସମକକ୍ଷ ହେବ ବୋଲି ନକ୍ସା ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରକଳ୍ପରେ ୨୦୦୦ ଲୋକ ସିଧାସଳଖ ନିଯୁକ୍ତି ପାଇବେ ଓ ପରୋକ୍ଷ ଭାବେ ଏହା ୧୦ ହଜାର ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ଆକଳନ ହୋଇଥିଲା।
ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଏବେ ସଜେଇ ହେଉଛି କଳିଙ୍ଗ ଷ୍ଟୁଡ଼ିଓ। ବଡ଼ ବଡ଼ ଫିଲ୍ମ ସିଟି ଶୈଳୀରେ ପ୍ରସ୍ତୁତ ହେଉଥିବା ଏହି ସରକାରୀ ଷ୍ଟୁଡିଓଟି ଉଭୟ ପର୍ଯ୍ୟଟକ ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କରା ଯାଉଛି। ବର୍ତ୍ତମାନସୁଦ୍ଧା ଏନ୍ଟ୍ରାନ୍ସ ପ୍ଲାଜା ଓ କମ୍ୟୁନିଟି ହଲ୍ କାମ ପାଖାପାଖି ୯୫% ସରିଲାଣି। ଏନ୍ଟ୍ରାନ୍ସ ପ୍ଲାଜାରେ ଟିକେଟ୍ କାଉଣ୍ଟର, ଲକର୍, ସିକ୍ୟୁରିଟି ଅଫିସ, ରେସ୍ତୋରାଁ, କାଫେ, ଡିସ୍କୋ ଫ୍ଲୋର୍ ଓ ପ୍ରାଥମିକ ଚିକିତ୍ସାଳୟ ଆଦିର କାମ ଶେଷ ହୋଇଛି। କମ୍ୟୁନିଟି ହଲ୍ ସରିଛି। ସୁଟିଂ ଫ୍ଲୋର୍ କାମ ପାଖାପାଖି ୬୫% ସରିଲାଣି। ସେହିପରି ବରଫ ଦୁନିଆ, ମେଜ୍ ଅଫ୍ ମିରର୍ସ, ୧୨-ଡି ମୁଭି ମ୍ୟାଜିକ୍, ହଣ୍ଟେଡ୍ ହାଉସ୍ କାମ ୩୦% ଶେଷ ହୋଇଛି। ‘ଟେକ୍ ଜୋନ୍’ରେ ତିଆରି ହେବାକୁ ଥିବା ସାଉଣ୍ଡ ରେକର୍ଡିଂ ରୁମ୍, ଡବିଂ ମିକ୍ସିଙ୍ଗ ରୁମ୍, ୩୫୦ ଦର୍ଶକଙ୍କ ପ୍ରେକ୍ଷାଳୟ, ଡିଆଇ ଷ୍ଟୁଡିଓ, ଅଡିଓ ଭିଜୁଆଲ୍ ରୁମ୍, ସାଉଣ୍ଡ କଣ୍ଟ୍ରୋଲ ରୁମ୍, ଆନିମେସନ ୱାର୍କଷ୍ଟେସନ, ମୁଭି ଏଡିଟିଂ ରୁମ୍, ରିହର୍ସାଲ ରୁମ୍, ସାଉଣ୍ଡ ପ୍ରୁଫ୍ ରୁମ୍, ଫଟୋଗ୍ରାଫି ଜୋନ୍, ୱାକ୍ସ ମ୍ୟୁଜିୟମ୍, ୨୫ଟି ପ୍ରପ୍ ଷ୍ଟୋର୍ ଓ ଫିଲ୍ମ ପାଇଁ ଆବଶ୍ୟକ ମିଟିଂ ହଲ୍ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗାଁର ଦୃଶ୍ୟ କାମ ଚାଲିଛି, ପୋଖରି ଖୋଳା ଚାଲିଛି।
ତେବେ ଅନ୍ୟପଟେ ଏହାର ରକ୍ଷଣାବେକ୍ଷଣ, କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସମୟରେ ଅନ୍ତତଃ ଓଡ଼ିଆ ଫିଲ୍ମ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମି ଏଠାରେ ଉପଲବ୍ଧ ହେବ କି ନାହିଁ, ସେନେଇ କିଛି ପ୍ରଯୋଜକ ଆଶଙ୍କା ପ୍ରକାଶ କରିଛନ୍ତି। ବିଶେଷକରି ପୋଷ୍ଟ ପ୍ରଡକ୍ସନରେ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ଭିତରୁ ଏଠାରେ ଯେ ସବୁ ଉପଲବ୍ଧ ହେବ, ତାହାକୁ ନେଇ ମଧ୍ୟ ସନ୍ଦେହ ରହିଛି। ଏ ଷ୍ଟୁଡିଓ ଯେଉଁ ସମୟରେ ଶୀର୍ଷରେ ରହିଥିଲା, ସେତେବେଳେ ଫିଲ୍ମ ନିର୍ମାଣରେ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ହୁଏତ ସେଠାରେ ଉପଲବ୍ଧ ଥିଲା, କିନ୍ତୁ ବର୍ତ୍ତମାନ ସେ ଟେକ୍ନଲୋଜି ଯେତିକି ଆଗେଇଲାଣି, ସେସବୁର ସୁବିଧା ଏଠାରେ କରିବା ଯେ ସହଜ କଥା ନୁହେଁ, ଏଥିରେ ସନ୍ଦେହ ନାହିଁ। ଏମିତିରେ ଦେଖିଲେ, ସ୍ଥାନ ଅଭାବ ଏ ଷ୍ଟୁଡିଓର ବଡ଼ ସମସ୍ୟା। କାରଣ ରାମୋଜୀ ଫିଲ୍ମି ସିଟି ପରି ଏହାର ଆକାର ବଡ଼ ନୁହେଁ। ବହୁ କମ୍ ସ୍ଥାନରେ ଷ୍ଟୁଡିଓ ନିର୍ମାଣ ହେଉଥିବାରୁ ଗୋଟିଏ ଗୋଟିଏ ସେଟ୍କୁ ଏକାଧିକ ଫିଲ୍ମରେ ଦର୍ଶକ ଦେଖିବେ। ହୁଏତ ତାହାକୁ ସେମାନେ ପସନ୍ଦ କରି ନପାରନ୍ତି। ଆହୁରି ଏକ ବଡ଼ ଆଶଙ୍କା ହେଉଛି, ରାମୋଜୀ ଫିଲ୍ମସିଟି ଭଳି ଏହାକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ବିକଶିତ କରା ଯାଉଛି। ଆକାର ବଡ଼ ନଥାଇ ପର୍ଯ୍ୟଟକଙ୍କୁ ଭିତରେ ପ୍ରବେଶ କରିବାର ସୁଯୋଗ ଦେଲେ ଫିଲ୍ମ ସୁଟିଂରେ ତା’ର ପ୍ରଭାବ ପଡ଼ିବା ନିଶ୍ଚିତ। ଏହାକୁ କେମିତି ପରିଚାଳନା