Tribal Residential Schools Hostels In Odisha To Adopt Eco Frie Cithrxt

ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଜଳିବନି କାଠ; ରୋଷେଇଶାଳରେ ସଂଯୋଗ ହେବ ଏଲ୍‌ପିଜି ସିଲିଣ୍ଡର

State

ଭୁବନେଶ୍ୱର: ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲଗୁଡ଼ିକ ପରିବେଶ ଅନୁକୂଳ ହେବ। ଏଥି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସମସ୍ତ ଆବାସିକ ବିଦ୍ୟାଳୟ ତଥା ହଷ୍ଟେଲଗୁଡ଼ିକରେ ଆଉ କାଠ ଚୂଲି ବ୍ୟବହାର ହେବ ନାହିଁ। କାଠ ବଦଳରେ ଏଲ୍‌ପିଜି ସଂଯୋଗ କରାଯିବ। ବିଭାଗ ଦ୍ୱାରା ପରିଚାଳିତ ୧୭୩୬ଟି ଆବାସିକ ବିଦ୍ୟାଳୟ ଏବଂ ଅନ୍ୱେଷା ଓ ଆକାଂକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିଚାଳିତ ପ୍ରାୟ ୬୦୦୦ ହଷ୍ଟେଲରେ ଥିବା ରୋଷେଇ ଘରେ ଏଲ୍‌ପିଜି ସିଲିଣ୍ଡର ଜରିଆରେ ଖାଦ୍ୟ ପ୍ରସ୍ତୁତ କରାଯିବ। ଦୁଇ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଛାତ୍ରାବାସରେ କାଠ ଚୂଲା ଉଛେଦ କରି ଏଲପିଜି ସିଲିଣ୍ଡର ବ୍ୟବହାର କରାଯିବ। ଏନେଇ ଉପଯୁକ୍ତ ପଦକ୍ଷେପ ନେବା ଲାଗି ବିଭାଗୀୟ ଶାସନ ସଚିବ ରୂପା ରୋଶନ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪-୨୫ ରୁ ୨୦୨୫-୨୬ ମଧ୍ୟରେ ସମସ୍ତ ରୋଷେଇ ଘରେ ଏଲ୍‌ପିଜି ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଶ୍ରୀମତୀ ସାହୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଭିନ୍ନ ପଦକ୍ଷେପ ସ୍ୱରୂପ ଉନ୍ନତ ପରିବେଶ ସୁନିଶ୍ଚିତ କରାଯାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଆଉ ଏକ ପଦକ୍ଷେପ ସ୍ୱରୂପ ପାରମ୍ପରିକ ରୋଷେଇ ପଦ୍ଧତ୍ତିକୁ ପର୍ଯ୍ୟୟକ୍ରମେ ବନ୍ଦ କରି ଏଲ୍‌ପିଜି ବ୍ୟବହାର ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଛି। ୨୦୨୪-୨୫ରେ ସମସ୍ତ ୪୨୨ଟି ଉଚ୍ଚ ବିଦ୍ୟାଳୟ, ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ୫ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ, ୯୩ଟି ଅନ୍ୱେଷା ହଷ୍ଟେଲରେ କାଠ ଚୂଲାର ବ୍ୟବହାର ବନ୍ଦ କରାଯାଇ ଏଲ୍‌ପିଜି ଜରିଆରେ ରୋଷେଇ ଆରମ୍ଭ ହେବ। ଅବଶିଷ୍ଟ ବିଦ୍ୟାଳୟ ଓ ହଷ୍ଟେଲରେ ରୂପାନ୍ତରଣ କାର୍ଯ୍ୟ ୨୦୨୫-୨୬ରେ ସମ୍ପାଦନ କରାଯିବ।