Photo For The News Of Display Board

ଓଏନଏନ ପ୍ରଭାବ, ଖବର ପ୍ରକାଶ ପରେ ନିର୍ମାଣ ହେଲା ଫଳକ

State

ଆଗରପଡ଼ା :ଶନିବାର “ଗୋଟିଏ ଫଳକରେ ବିଭିନ୍ନ ଯୋଜନାର ସୂଚନା”ଶୀର୍ଷକ ଖବର ‘ଓଏନଏନ’ରେ ପ୍ରକାଶ ପାଇବା ପରେ ଉକ୍ତ ଦିନ ବିଭାଗ ପକ୍ଷରୁ କାର୍ଯ୍ୟସ୍ଥଳୀ ନିକଟରେ ନୂତନ ଫଳକ ନିର୍ମାଣ ହୋଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ପଂଚାୟତ ସମିତି ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟରେ ଫଳକ ଲେଖାରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଥିଲା । ଗୋଟିଏ ଫଳକରେ ବିଭିନ୍ନ ଯୋଜନାକୁ ଲେଖି ବିଭାଗ ତାର କାମ ସାରିଦେଉଥିବାର ଜଣାପଡ଼ିଥିଲା । କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ତୁମ୍ଭାପଦି ଗ୍ରାମରେ ବର୍ତ୍ତମାନ ପଂଚାୟତ ସମିତି ବନ୍ତ ପକ୍ଷରୁ ଲକ୍ଷ୍ମୀ ମଣ୍ଡପ ଠାରୁ ସରମରା ପ୍ରଧାନମନ୍ତ୍ରୀ ସଡ଼କ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଉଥିବାର ସୂଚନା ସ୍ଥାପିତ ଫଳକରେ ସ୍ଥାଣିତ ହୋଇଥିଲେ ସୁଦ୍ଧା ଏଠାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।

କିଛି ଦିନ ପୂର୍ବରୁ ଉକ୍ତ ଫଳକରେ ସେହି ଗ୍ରାମରେ ଅନ୍ୟ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପର ସୂଚନା ଲିପିବଦ୍ଧ ହୋଇଥିଲା । କିନ୍ତୁ ବର୍ତ୍ତମାନ ଆଉ ଏକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ନୂତନ ଫଳକ ନିର୍ମାଣ ନ କରି ପୂର୍ବ ଫଳକ ଉପରେ ରଙ୍ଗ ମାରି ତା ଉପରେ ନୂତନ ଯୋଜନା ବିଷୟରେ ଲେଖିଦିଆ ଯାଇଥିବାର ଅଭିଯୋଗ ହୋଇଥିଲା । ଫଳକ ବାବଦରେ ବିଲ ହେଉଥିବା ବେଳେ ନୂତନ ଫଳକ ନ କରି ପୁରୁଣା ଫଳକରେ ସୂଚନା ଲେଖି କାମ ସାରି ଦେଇଥିବା ନେଇ ଅଭିଯୋଗକୁ ‘ଓଏନଏନ’ପ୍ରକାଶ କରିଥିଲା । ତେଣୁ ତୁମ୍ବାପଦି ଗ୍ରାମ ବ୍ୟତିତ ଅନ୍ୟ ଗ୍ରାମରେ ମଧ୍ୟ ଫଳକକୁ ନେଇ ଦେଖାଯାଇଥିବା ବ୍ୟତିକ୍ରମରେ ସୁଧାର ଆଣିବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।