Img 20240222 Wa0253

୫ ଶିକ୍ଷାନୁଷ୍ଠାନର ଇଣ୍ଟିଗ୍ରେଟେଡ ବିଏଡ୍ ପ୍ରମାଣପତ୍ରକୁ ଅବୈଧ ଦର୍ଶାଇଲା ଇଏମଆରଏସ

State

ମାର୍ଚ୍ଚ ୬ ରେ ତାଲାବନ୍ଦ ଆନ୍ଦୋଳନ ଡାକରା ଦେଲା ମାରିସା

ବାରିପଦା: ଏମ୍.ପି.ସି. ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ରାଜ୍ୟର ୪ଟି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଇଣ୍ଟିଗ୍ରେଟେଡ ବିଏଡ୍ ( ବ୍ଯାଚଲର ଅଫ ଏଜୁକେସନ) ପ୍ରମାଣପତ୍ରକୁ ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) କର୍ତ୍ତୃପକ୍ଷ ଗ୍ରହଣ କରୁନାହାନ୍ତି । ଶିକ୍ଷକ ନିଯୁକ୍ତି ପକ୍ରିୟାରେ ଏହି ପ୍ରମାଣପତ୍ରକୁ ଅବୈଧ ବୋଲି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି । ଇଣ୍ଟିଗ୍ରେଟେଡ ବିଏଡ୍ ପାଠ୍ୟକ୍ରମରେ ୫ଟି ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ପ୍ରାର୍ଥୀ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି । ମାରିସା ପକ୍ଷରୁ ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ଏ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଇଏମଆରଏସ ଅଧ୍ୟକ୍ଷଙ୍କ ନିକଟରେ ଦାବୀ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଜନଜାତି ମନ୍ତ୍ରଣାଳୟ ଅଧୀନସ୍ଥ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଅନୁଯାୟୀ ରେଭେନ୍ସା ସମେତ ଅନ୍ୟ ୪ଟି ଶିକ୍ଷାନୁଷ୍ଠାନରେ ଇଣ୍ଟିଗ୍ରେଟେଡ ବିଏଡ୍ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଶତାଧ‌ିକ ବିଦ୍ୟାର୍ଥୀ ଆବେଦନ କରିଥିଲେ। ଆବେଦନ‌କାରୀଙ୍କ ପ୍ରମାଣପତ୍ର ୨୦୨୪ ଫେବୃଆରୀ ୧ରେ ଯାଞ୍ଚ ହୋଇଥିଲା । ଓଡ଼ିଶାରୁ ୩୦ରୁ ଉର୍ଦ୍ଧ ପ୍ରାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ପ୍ରମାଣପତ୍ର ଯାଞ୍ଚ ପାଇଁ ଡକାଯାଇଥିଲା । ସେମାନଙ୍କର ଇଣ୍ଟିଗ୍ରେଡେଟ ବିଏଡ୍ ପ୍ରମାଣପତ୍ରକୁ ତ୍ରୁଟିପୂର୍ଣ କୁହାଯାଇଥିଲା । ଜଣେ ପ୍ରାର୍ଥୀଙ୍କର ଅନୁନ୍ୟ ସ୍ନାତକ ଡିଗ୍ରୀ ସହ ଦୁଇ ବର୍ଷ ମଧ୍ୟରେ ୨ଟି ମନୋନୀତ ବିଷୟରେ ଶିକ୍ଷାଗ୍ରହଣ ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟ, ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ମହାରାଜା ପୂର୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ବବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା ।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ଇଣ୍ଟିଗ୍ରେଟେଡ ବିଏଡ୍ ପାଠ୍ୟକ୍ରମର ୨ଟି ବିଷୟରେ ଶିକ୍ଷାଗ୍ରହଣ କରିଥାନ୍ତି । ପ୍ରତିବର୍ଷ ଜଣେ ବିଦ୍ୟାର୍ଥୀ ଗୋଟିଏ ବିଷୟରେ ୨୦୦ନମ୍ବରର ପରୀକ୍ଷା ଦେଇଥାଏ। ଏହି ପରୀକ୍ଷା ପଦ୍ଧତିକୁ ତ୍ରୁଟିପୂର୍ଣ୍ଣ ବୋଲି ଇଏମଆରଏସ ଦର୍ଶାଇଛି। ପ୍ରତିବର୍ଷ ବିଦ୍ୟାର୍ଥୀମାନେ ଗୋଟିଏ ବିଷୟ ବଦଳରେ ୨ଟି ମନୋନୀତ ବିଷୟରେ ୧୦୦ନମ୍ବର ଲେଖାଏଁ ପରୀକ୍ଷା କରିବାକୁ ଇଏମଆରଏସ କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଛନ୍ତି । ଇଏମଆରଏସ ପଦ୍ଧତି ଅନୁଯାୟୀ ଏହିସବୁ ଶିକ୍ଷାନୁଷ୍ଠାନରେ ପରୀକ୍ଷା ପରିଚାଳନା ହେଉନଥିବାରୁ ବିଦ୍ୟାର୍ଥୀଙ୍କ ଯୋଗ୍ୟତା ପ୍ରମାମଣପତ୍ରକୁ ନକଲି ବୋଲି ଇଏମଆରଏସ କର୍ତ୍ତୃପକ୍ଷ କହିଛନ୍ତି। ପ୍ରକାଶ ଯେ, ଓଡି଼ଶାରେ ୟୁଜିସି ଦ୍ବାରା ଜାରି କରାଯାଇଥିବା ସିବିସିଏସ ମଡେଲ-୨୦୧୬କୁ ଗ୍ରହଣ କରାଯାଇଛି। ଏଥିରେ ପ୍ରତିବର୍ଷ ଗୋଟିଏ ଲେଖାଏଁ ମନୋନୀତ ବିଷୟ ପଢ଼ି ପାରିବେ ବୋଲି ନିୟମ ରହିଛି । ରାଜ୍ୟ ସରକାରଙ୍କ ମଡେଲ ପାଠ୍ୟଖସଡ଼ାରେ ମଧ୍ୟ ଏହି ନିୟମ ରହିଛି। ରାଜ୍ୟ ସରକାର ଏହି ନିୟମକୁ ଇଏମଆରଏସ କର୍ତ୍ତୃପକ୍ଷ ମାନୁନାହାନ୍ତି । ଏହି ପ୍ରମାଣପତ୍ର ଯାଞ୍ଚ କରୁଥିବା ଦଳ ଓଡ଼ିଶାର ସବୁ ବିଶ୍ଵବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ ବିଏଡ୍ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଉଥିବା ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ରକୁ ଗ୍ରହଣ କରୁନାହିଁ। ଯାହାଦ୍ଵାରା ସମ୍ପୃକ୍ତ ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ପଡିଥିଲେ । ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରି ବାଦ୍ ପଡ଼ିଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ୧୨ ଦିନ ମଧ୍ୟରେ ନିଯୁକ୍ତି ପ୍ରଦାନ କରାନଗଲେ ଛାତ୍ରଛାତ୍ରୀଙ୍କ ହକ୍ ପାଇଁ ମାର୍ଚ୍ଚ ୬ ତାରିଖ ଦିନ ସମସ୍ତ ଶିକ୍ଷାନୁଷ୍ଠାନରେ ମାରିସା ପକ୍ଷରୁ ତାଲାବନ୍ଦ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ପ୍ରେସ୍ ବିବୃତ୍ତି ମାଧ୍ଯମରେ ଚେତାବନୀ ଦେଇଛନ୍ତି।