Whatsapp Image 2024 02 21 At 17.53.49 750x430

ଭାରତର ଆପତ୍ତି ସତ୍ତ୍ବେ ଚୀନ ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେଲା ମାଳଦ୍ବୀପ

National & International

ମାଲେ : ଭାରତ ମହାସାଗରରେ ତଥାକଥିତ ‘ଗବେଷଣା’ କରିବା ପରେ ଚୀନ୍ର ସାମରିକ ଗୁପ୍ତଚର ଜାହାଜ ଜିଆଙ୍ଗ ୟାଙ୍ଗ ହଙ୍ଗ୍-୦୩ ଏବେ ମାଳଦ୍ୱୀପ ଅଭିମୁଖେ ଅଗ୍ରସର ହୋଇଛି। ମାଳଦ୍ୱୀପ ସରକାର ଏକ ଚାଇନା ଗୁପ୍ତଚର ଜାହାଜକୁ ମାଲେ ବନ୍ଦରରେ ଲଙ୍ଗର ପକାଇବାକୁ ଅନୁମତି ଦେଇଛନ୍ତି। କୁହାଯାଉଛି ଯେ ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ସର୍ଭେ ନାଁରେ ଚୀନ୍ ଜାହାଜ ଦୀର୍ଘ ଦିନ ଧରି ଗୁପ୍ତଚରବୃତ୍ତି କରି ଆସୁଛି। ଏବେ ଏହା ମାଲେ ଆଡ଼କୁ ଗତି କରୁଛି। ଭାରତ ଓ ଆମେରିକା ଚୀନର ଗୁପ୍ତଚର ଜାହାଜକୁ ଅନୁମତି ଦେବାକୁ ବିରୋଧ କରିଥିଲେ ମଧ୍ୟ ମୁଇଜୁ ସରକାର ଏହାକୁ ଅଣଦେଖା କରିଛନ୍ତି ।
ଗତ ଜାନୁଆରୀ ୨୮ରେ ଚୀନର ଏହି ଗୁପ୍ତଚର ଜାହାଜ ଭାରତ ଓ ଶ୍ରୀଲଙ୍କା ନିକଟରେ ଭାରତ ମହାସାଗରରେ ପହଞ୍ଚିଥିଲା। ସେବେଠାରୁ ଏହା ଭାରତ ମହାସାଗରରେ ନିଜର ଗବେଷଣା ଜାରି ରଖିଛି । ସର୍ଭେ ଶେଷ କରି ଏହି ଜାହାଜ ଏବେ ମାଳଦ୍ୱୀପର ରାଜଧାନୀ ମାଲେ ଅଭିମୁଖେ ଯାତ୍ରା କରୁଛି । ଚୀନର ଏହି ଗବେଷଣା ଜାହାଜ ମାଳଦ୍ୱୀପରେ ପହଞ୍ଚିବା ପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଉତ୍ତେଜନା ପୁଣି ବୃଦ୍ଧି ପାଇଛି । ଭାରତ ଚୀନ ଗୁପ୍ତଚର ଜାହାଜକୁ ନିଜ ପାଇଁ ବିପଦ ଭାବେ ଦେଖୁଛି। ଏହି ଗୁପ୍ତଚର ଜାହାଜ ଭବିଷ୍ୟତରେ ବୁଡ଼ାଜାହାଜ ଅପରେସନ୍ ପାଇଁ ତଥ୍ୟ ସଂଗ୍ରହ କରିପାରେ ବୋଲି ଭାରତ ଆଶଙ୍କା କରୁଛି।