Capture5 1 750x430

RTO ବସନ୍ତ ମହାପାତ୍ର ଗିରଫ ଘଟଣା: ବାଜା ବଜାଇ ଖୁସିରେ ନାଚିଲେ ଡ୍ରାଇଭର

State

ବୌଦ୍ଧ: ଢୋଲ ବାଜୁଛି, ଗୀତ ବି ବାଜୁଛି । ଆଉ ସେହି ଗୀତର ତାଳେ ତାଳେ ନାଚ ବି ଚାଲିଛି । ଆପଣ ଭାବୁଛନ୍ତି କି ଏଠି କେଉଁ ବାହାଘର କି ଅନ୍ୟାନ୍ୟ କୌଣସି ସେଲିବ୍ରେଶନ ଚାଲିଛି ବୋଲି । ନାଇଁ ଆଜ୍ଞା ଏଠି କୌଣସି ବାହାଘର କି ଉତ୍ସବ ଚାଲିନି, ଏଠି RTO ଅଫିସରଙ୍କୁ ଭିଜିଲାନ୍ସ ଗିରଫ କରିବାରୁ ଖୁସିରେ ଲୋକମାନେ ନାଚୁଛନ୍ତି । କଣ ଆପଣଙ୍କୁ ବି ଝଟକା ଲାଗିଲା ନା! ଆଜ୍ଞା ହଁ ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବୌଦ୍ଧ ଜିଲ୍ଲାର RTO ବସନ୍ତ କୁମାର ମହାପାତ୍ରଙ୍କୁ ଗିରଫ କରିଛି । ଯାହାକୁ ନେଇ ଏବେ ପୁରା ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, RTO ବସନ୍ତ ମହାପାତ୍ରଙ୍କ ନାଁରେ ଥିବା କୋଟି କୋଟି ଟଙ୍କାର ସମ୍ପତିକୁ ଜବତ କରିଛି ଭିଜିଲାନ୍ସ । ଆୟ ତୁଳନାରେ ବସନ୍ତ ୪୪୫ ପ୍ରତିଶତ ସମ୍ପତ୍ତି ରଖିଥିବା ଭିଜିଲାନ୍ସକୁ ପ୍ରମାଣ ମିଳିଥିଲା । ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନାଗହଣା, ଗାଡି ଆସବାବପତ୍ର ରହିଥିଲା । ଚଢ଼ଉ ବେଳେ କେବଳ ଭୁବନେଶ୍ୱରରୁ ୫ଟି ଦାମୀ ଫ୍ଲାଟ୍ ସାଙ୍ଗକୁ ଗୋଟିଏ ସପିଂ କମ୍ପ୍ଲେକ୍ସ ଠାବ ହୋଇଥିଲା। ଭିଜିଲାନ୍ସ ଟିମ୍ ବସନ୍ତଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଏକକାଳୀନ ଭାବେ ଚଢଉ କରଥିଲା। ଶେଷରେ ଭିଜିଲାନ୍ସ ବସନ୍ତଙ୍କୁ ଗିରଫ କରିଛି।

ତେବେ ଗତ କିଛି ଦିନ ଧରି ଅନେକ ସଂଗଠନ ଆରଟିଓଙ୍କୁ ବଦଳି କରିବା ନେଇ ବହୁବାର ଜିଲ୍ଲାପାଳଙ୍କ ନିକଟରେ ଦାବି କରି ଆସୁଥିଲେ। କାରଣ ଫାଇନ୍ କାଟିବା ନାଁ ନେଇ RTO ବସନ୍ତ ଗାଡି ଗୁଡିକରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଡ୍ରାଭରଙ୍କଠାରୁ ଆରମ୍ଭ କରି ମାଲିକ ମାନଙ୍କୁ ମଧ୍ୟ ଶୋଷଣ କରୁଥିଲେ ।