ବାରିପଦା: ଭୁବନେଶ୍ୱର ଠାରେ ଭଂଜକଳା ମଣ୍ଡପରେ ପଞ୍ଚମବେଦ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବିଂଶତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବରେ ବାରିପଦାର ରୂପାନ୍ତର ନାଟ୍ୟସଂସ୍ଥା ପ୍ରଯୋଜିତ ନାଟକ “ସ୍ମୃତି ବିସ୍ମୃତି” ମଞ୍ଚସ୍ଥ ହୋଇଯାଇଛି I ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ପରେଶ ସାହୁଙ୍କ ନିର୍ଦ୍ଦେଶିତ ନାଟକଟିରେ ପ୍ରସନ୍ନ ମହାନ୍ତି, ପ୍ରୟାସ ଶତପଥୀ, ସତ୍ୟ ନାରାୟଣ ଦାସ, ଦିନେଶ ସାହୁ, ସପନ ପଣ୍ଡା, ନାରାୟଣ ମଣ୍ଡଳ, ଦିଲ୍ଲୀପ ପରିଡା, ରବୀନ୍ଦ୍ର ବେହେରା, ଅନିତା ମିଶ୍ର, ପଦ୍ମିନୀ ପାଢ଼ୀ ଓ ଦେବସ୍ମିତା ସାବତ ପ୍ରମୁଖ ଅଭିନୟ କରିଛନ୍ତି I ଗୀତ ରଚନାରେ ରାଜଶ୍ରୀ ସାହୁ, ସଂଗୀତ ପରିଚାଳନାରେ ଶୁଭେନ୍ଦୁ ସାହୁ, ସଂଗୀତ ନିର୍ଦ୍ଦେଶନାରେ ନନ୍ଦକିଶୋର ଦାଶ ଓ ମଞ୍ଚ ପରିଚାଳନାରେ ବିଶ୍ୱମ୍ବର ସିଂ ସହାୟତା ପ୍ରଦାନ କରିଥିଲେ I ଅଭିନେତା ମାନଙ୍କର ଅଭିନୟ ଏତେ ଜୀବନ୍ତ ହୋଇଥିଲା ଯେ ନାଟକଟି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା I ସାଧାରଣ କଥାକୁ ଭୁଲିଯିବା ବୟସର ଦୋଷ I ବୟସ୍କ ଲୋକଙ୍କର ଏହି ଦୋଷକୁ ଦୁରେଇ ଦେଇ ସେମାନଙ୍କର ଜୀବନକୁ ସହଜ କରିବାରେ ନାତି ନାତୁଣୀ, ପୁଅ ଝିଅଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ I ସାମ୍ପ୍ରତିକ ଖଣ୍ଡ ବିଖଣ୍ଡିତ ସମାଜରେ ପୁଅବୋହୂ, ନାତିନାତୁଣୀଙ୍କ ଠାରୁ ଅଲଗା ରହୁଥିବା ବୁଢାବୁଢୀ ଭୁଲିଯିବା ବେମାରୀରେ ଶିକାର ହୋଇ କିପରି ଦୟନୀୟ ଅବସ୍ଥାର ସମ୍ମୁଖୀନ ହୋଉଛନ୍ତି ଏବଂ ଏକୁଟିଆ ରହୁଥିବା ବୁଢାବୁଢୀ ମାନେ କିପରି ପୁଅବୋହୂ ଓ ସମାଜ ଦ୍ୱାରା ପ୍ରତାରିତ ହେଉଛନ୍ତି ତାହାହିଁ ଥିଲା ନାଟକର ବିଷୟବସ୍ତୁ I ନାଟକର ସଫଳତା ପାଇଁ ରୂପାନ୍ତରର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ଓ ବରିଷ୍ଠ ସଦସ୍ୟ ସୋମନାଥ ସିଂହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି I