Bk Arukh 1707399228.jpg

୪ମାସ ପାଇଁ ୧.୧୮ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ୍

State

bk_arukh_1707399228

ରାଜ୍ୟର ଅଭିବୃଦ୍ଧି ହାର ୭.୨୫% ହାରରେ ବୃଦ୍ଧି ହୋଇଛି

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୫୫ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ୪ମାସ ପାଇଁ ଏଥିରୁ ୧.୧୮ଲକ୍ଷ କୋଟି ଟଙ୍କାର ଲେଖାନୁଦାନ(କାମଚଳା ବଜେଟ)କୁ ପାରିତ ନିମନ୍ତେ ଗୃହର ଅନୁମତି ଲୋଡ଼ିଛନ୍ତି। ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାରର ପଂଚମ ପାଳିର ଏହା ଶେଷ ବଜେଟ୍ ହୋଇଥିବାବେଳେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଇଁ ବାର୍ଷିକ ଅନୁଦାନ ପରିମାଣକୁ ୫୦୦କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ୨୦୨୪-୨୫ରେ ରାଜ୍ୟର ଋଣବୋଝ ପରିମାଣ ମୋଟ ଜିଡିପି ତୁଳନାରେ ୧୨.୪%ରୁ ବୃଦ୍ଧି ପାଇଁ ୧୩.୧% ହେବ ଅର୍ଥାତ୍ ୨୦୨୫ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୧ଲକ୍ଷ ୨୦ହଜାର ୮୯୬କୋଟି ଟଙ୍କା ଛୁଇଁବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି।
ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ଆଗତ କରି କହିଥିଲେ ଯେ, ଓଡ଼ିଶା ହେଉଛି ୧୦୦ବିଲିୟନ ଡଲାରର ଅର୍ଥବ୍ୟବସ୍ଥା। ରାଜ୍ୟର ଅଭିବୃଦ୍ଧି ହାର ୭.୨୫% ହାରରେ ବୃଦ୍ଧି ହୋଇଛି ଯାହାକି ଜାତୀୟ ହାର ତୁଳନାରେ ୧ ପ୍ରତିଶତ ଅଧିକ। ରାଜ୍ୟର ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ତାରତମ୍ୟ ୩୨%ରୁ ୧୩%କୁ ହ୍ରାସ ପାଇଛି। ୨୦୨୪-୨୫ର ପ୍ରାରମ୍ଭିକ ଆକଳନ ଅନୁସାରେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହାର ୮.୫% ହାରରେ ହେବ। ସମ୍ବିଧାନର ଧାରା -୨୦୬ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ଅନୁଦାନ ଦାବିଗୁଡ଼ିକର ବିସ୍ତୃତ ଆଲୋଚନା ପୂର୍ବରୁ ୪ମାସର ବ୍ୟୟବରାଦ ପାଇଁ ଲେଖାନୁଦାନ ବିଧାନସଭାର ଅନୁମୋଦନ ନିମିତ୍ତି ଆଗତ କରାଯାଉଛି। ଏହି ବିବରଣୀ ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇ ମାସ ପାଇଁ ସମ୍ଭାବ୍ୟ ବ୍ୟୟବରାଦକୁ ଦର୍ଶାଉଛି ଯାହାର ପରିମାଣ ୧.୧୮ଲକ୍ଷ କୋଟି ଟଙ୍କା। ଏହି ଲେଖାନୁଦାନରେ ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚବାବଦକୁ ମୋଟ ବାର୍ଷିକ ବ୍ୟୟ ଅଟକଳର ୧୦୦ ପ୍ରତିଶତ, ପୁଞ୍ଜି ବ୍ୟୟ ପାଇଁ ୫୦ ପ୍ରତିଶତ ଓ ଅନ୍ୟାନ୍ୟ ଖର୍ଚ୍ଚବାବଦ ବ୍ୟୟ ଅଟକଳର ୪୦ ପ୍ରତିଶତ ଅନ୍ତର୍ଭୁକ୍ତ ଅଛି।
କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୧.୪୦ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୧୯୯୯-୨୦୦୦ ଆର୍ଥି୍ରକ ବର୍ଷର କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ବଜେଟ ୩୪୯୦କୋଟି ଟଙ୍କା ଥିଲା, ଯାହା ୨୩ବର୍ଷ ମଧ୍ୟରେ ୪୦ଗୁଣ ବୃଦ୍ଧି ପାଇଛି। ୨୦୨୪-୨୫ ବଜେଟ ବ୍ୟୟବରାଦରେ ନିଜସ୍ୱ ରାଜସ୍ୱ ଓ ମୋଟ ଜିଡିପିର ଅନୁପାତ ୧୨.୨୫ ପ୍ରତିଶତ ରହିଛି। ଏହା ରାଜ୍ୟର ମୋଟ ନିଜସ୍ୱ ରାଜସ୍ୱର ପ୍ରାୟ ୫୬%। ଏହା ହିଁ ଆମର କେନ୍ଦ୍ରୀୟ ପାଣ୍ଠି ଉପରେ ନିର୍ଭରଶୀଳତା ହ୍ରାସ ପାଇଥିବାକୁ ଦର୍ଶାଉଛି ବୋଲି ଶ୍ରୀ ଆରୁଖ କହିଛନ୍ତି।
୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପରିମାଣ ୨.୫୫ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଏହା ମୋଟ ରାଜ୍ୟ ଜିଡିପିର ୨୭.୫%। ଯାହାକି ୨୦୨୩-୨୪ ବର୍ଷ ତୁଳନାରେ ୧୧ପ୍ରତିଶତ ଅଧିକ। ଏହି ବଜେଟ ରାଜସ୍ୱ ବଳକା ହୋଇଥିବାବେଳେ ବିତ୍ତୀୟ ନିଅଣ୍ଟକୁ ମୋଟ୍ ଜିଡିପିର ୩ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇଛି। ପୂର୍ଣ୍ଣାଙ୍ଗ ବଜେଟର ମୋଟ ୩୭ପ୍ରତିଶତ(୯୩,୪୭୮କୋଟି ଟଙ୍କା) ସାମାଜିକ କ୍ଷେତ୍ର ଓ ୩୩ପ୍ରତିଶତ (୮୪୮୦୪କୋଟି ଟଙ୍କା) ଆର୍ଥିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ରହିଛି। ଏଫଆରବିଏମ୍ ଆକ୍ଟ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ପରିମାଣକୁ ୩ ପ୍ରତିଶତ ମଧ୍ୟରେ ସରକାର ସୀମିତ ରଖିଛନ୍ତି।
ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ୧.୧୮ଲକ୍ଷ କୋଟି ଟଙ୍କାର ୪ମାସିଆ ଲେଖାନୁଦାନ ଆଗତ କରି ତାକୁ ପାରିତ ପାଇଁ ଗୃହର ଅନୁମତି ଲୋଡ଼ିଛନ୍ତି। ରାଜ୍ୟରେ ସାମାଜିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ବଜେଟରେ ଏବାବଦରେ ମୋଟ ୩୯୮୦କୋଟି ଟଙ୍କା, ଭିନ୍ନକ୍ଷମ କଲ୍ୟାଣ ପାଇଁ ୨୦୭କୋଟି ଟଙ୍କାର ବରାଦ କରିଛନ୍ତି। ସେହିପରି ପଶ୍ଚିମଓଡ଼ିଶା ବିକାଶ ପରିଷଦର ପାଣ୍ଠିକୁ ସରକାର ୨୦୨୩-୨୪ରେ ୪୦୦କୋଟି ଟଙ୍କା କରିଥିବାବେଳେ ୨୦୨୪-୨୫ରେ ଏହାକୁ ୫୦୦କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ନୂଆ ସହରର ବିକାଶ ପାଇଁ ୯୧୮କୋଟି ଟଙ୍କା, ଅର୍ବାନ ରୋଡ୍ ଟ୍ରାନ୍ସପୋର୍ଟ ପାଇଁ ୧୨୦୦କୋଟି ଟଙ୍କା, ମେଟ୍ରୋ ଟ୍ରେନ ପାଇଁ ୧୦୦୦କୋଟି ଟଙ୍କା, ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ୭୦୦କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ୭୨କୋଟି ଟଙ୍କା, କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୮୫୨କୋଟି ଟଙ୍କା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୨୨୬କୋଟି ଟଙ୍କା, ଲକ୍ଷ୍ମୀ ବସ୍ ଯୋଜନାରେ ୧୧୯୧କୋଟି ଟଙ୍କା, ଫିଲ୍ମ ଉନ୍ନୟନ ନିଗମକୁ ୬୦କୋଟି ଟଙ୍କା, ବିଜୁ ପକ୍କାଘରରେ ୧୦୦କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସରେ ରାଜ୍ୟର ଅଂଶବାବଦରେ ୪୦୫୧କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସେହିପରି କଲେଜଗୁଡ଼ିକରେ ଚାଲିଥିବା ‘ନୂଆ-ଓ’ କାର୍ଯ୍ୟକ୍ରମକୁ ମଧ୍ୟ ୨୦୨୪-୨୫ରେ ଜାରି ରଖିବାକୁ ସରକାର ୨୦୦କୋଟି ଟଙ୍କାର ବ୍ୟୟବରାଦ ବଜେଟରେ କରିଛନ୍ତି।
ଆରୁଖ ଆହୁରି କହିଛନ୍ତି ଯେ, ଧାନ ପ୍ରକ୍ରିୟାକରଣକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଓ ଚାଷୀଙ୍କୁ ଧାନ ବିକ୍ରି ପାଇଁ ୨୦୦୦କୋଟି ଟଙ୍କାର ରିଭଲିଂ ଫଣ୍ଡର ବ୍ୟବସ୍ଥା କରିଛନ୍ତି। ସେହିପରି ୮୫୮ଟି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରୂପାନ୍ତର ପାଇଁ ୩୩୮୯କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ୨୦୨୨-୨୩ରେ ରାଜ୍ୟର ମୁଣ୍ଡପିଛା ଆୟ ୧ଲକ୍ଷ ୪୫ହଜାର ୨୦୨ଟଙ୍କା ଥିବାବେଳେ ତାହା ୨୦୨୩-୨୪ରେ ୧,୬୧,୪୩୭ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଏହି ଅବଧି ମଧ୍ୟରେ ରାଜ୍ୟର ଋଣବୋଝ ୧୯୧୦୮ଟଙ୍କାରୁ ୨୨୨୦୮ଟଙ୍କାକୁ ବୃଦ୍ଧି ହୋଇଥିବା ଜଣାପଡ଼ିଛି।