Onn 3

ଆଗରପଡ଼ା-ବରପଦା ରାସ୍ତା ମରାମତି ପ୍ରସଙ୍ଗ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ

State

ଆଗରପଡ଼ା: ଗତ ୩ ତାରିଖରେ ସିପିଆଇ(ଏମ)ପକ୍ଷରୁ ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ଦାବି ପୁର୍ବକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଏହାର ତୁରନ୍ତ ମରାମତି କରାନଗଲେ ଧାରଣା ଦିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । କିନ୍ତୁ ୧୫ ଦିନ ପରେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ନଯିବାରୁ ସୋମବାର(୧୭.୦୭.୨୩) ଦଳ ପକ୍ଷରୁ ଆଗରପଡ଼ା ମୁଖ୍ୟ ବଜାର କୁପାରୀ ଛକ ନିକଟରେ ଧାରଣା ଦିଆଯାଇଥିଲା । ପରେ ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳରେ ପଦଂଚି ମଙ୍ଗଳବାର(୧୮.୦୭.୨୩) ଠାରୁ ରାସ୍ତାର ଉଭୟ ପଟୁ ଫାଟିଥିବା ଅଂଶକୁ ଖୋଳାଯାଇ ପିଚୁ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପରେ ବୁଧବାର ଠାରୁ ରାସ୍ତା ମରାମତି କାମ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ରାସ୍ତା ମରାମତି କାମକୁ ୧୦ଦିନ ବିତିଯାଇଛି ଓ ରାସ୍ତାରେ ତାଳିପକା କାମ ଚାଲିଛି । ତତ୍‌୍ ସହିତ ଆରଗପଡ଼ା ଠାରୁ ବରପଦା ୧୪ କି.ମି ରାସ୍ତାର ତାଳିପକା କାମକୁ ଏକାଧିକ ଠିକାଦାର କରୁଥିବାରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାମ ଦେଖିବାକୁ ମିଳୁଛି । ବିଛା ହେଉଥିବା ମେଣ୍ଟାଲରେ ତାରତମ୍ୟ ରହୁନଥିବା ପରିଲକ୍ଷିତ ହେଉଛି । ମନମାନୀରେ ଚାଲିଛି ତାଳିପକା କାମ । ଉକ୍ତ କାମକୁ ଦେଖିଲେ ଏହା କେବଳ ଠିକାଦାର ତ୍ରୁଷ୍ଟିକରଣ ପାଇଁ ବ୍ୟବସ୍ଥା ବୋଲି ଆଲୋଚନା ହେଉଛି ।

କାରଣ ଏହିପରି କାମ ଆଗରୁ ବହୁଥର ହୋଇଛି ଏବଂ ମରମତି ସରୁସରୁ ପୁଣି ମରାମତି ମାଗିଛି । ତେଣୁ ଏହିପରି କାମକୁ ନେଇ ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ବର୍ଷ ୨୦୨୧ ଜୁନ ମାସରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ । ଏବଂ ଗତ ୬ ମାସ ତଳେ ଉକ୍ତ ରାସ୍ତାକୁ ୭ ମିଟର ଓସାର କରିବା ସହ ନୂଆ ରାସ୍ତା ନିର୍ମାଣ ପାଇଁ ୪୪ କୋଟି ଟଙ୍କାର ଯୋଜନା ଅଟକଳ ମଂଜୁର ପାଇଁ ଦିଆଯିବା ଓ ଏହି ଅଟକଳ ମଧ୍ୟରେ ଛୋଟ ପୋଲ ଓ ଜମି ଅଧିଗ୍ରହଣ କରାଯିବା ଏବଂ ଅଟକଳ ମଂଜୁର ହେବାପରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହେବାର ଦେଇଥିବା ସୂଚନା କାଗଜ କଲମରେ ସୀମିତ ରହିଯାଇଥିବା ବେଳେ ତାଳିପକା ଏକ ପ୍ରହସନରେ ପରିଣତ ହେବା ସହ ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପ୍ରକାଶ ଥାଉକି;ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ନିର୍ମାଣ ସମୟରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଉକ୍ତ ରାସ୍ତା ନିର୍ମାଣ ଏକ ପ୍ରହସନରେ ପରିଣତ ହୋଇଛି । ତେଣୁ ରାସ୍ତାର ସ୍ଥାୟୀତ୍ୱକୁ ଆଖି ଆରରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହିତ ବିଭାଗୀୟ ଅଧିକାରୀ ନିଜେ ଦେଇଥିବା ପ୍ରତିଶ୍ରୁତି କୁ ପାଳନ ପୂର୍ବକ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଚେଷ୍ଟିତ ହେବାକୁ ସାଧାରଣରେ ଦାବି ହୋଇଛି ।