Img 20240206 Wa0209

କୁଷ୍ଠ ରୋଗର ନିବାରଣ ନିମନ୍ତେ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

State
ଡୋର୍ ଟୁ ଡୋର୍ ସଚେତନତା ଅଭିଯାନ ପାଇଁ ଜିଲ୍ଲାପାଳ ଦେଲେ ପରାମର୍ଶ
ବାରିପଦା :  ମୟୂରଭଞ୍ଜ ଜିଲ୍ଲାରେ କୁଷ୍ଠ ରୋଗର ନିବାରଣ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ  ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଆରମ୍ଭ ହୋଇଥିବା କୁଷ୍ଠ ନିବାରଣ ପକ୍ଷ ପାଇଁ ହେଉଥିବା ସଚେତନତା ଅଭିଯାନ ବିଷୟରେ ଜିଲ୍ଲାପାଳଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ କୁମାର ଦାଶ ଏବଂ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶାନ୍ତନୁ କୁମାର ଦାଶ ବିବରଣୀ ପ୍ରଦାନ କରିଥିଲେ। ସୂଚନାନୁସାରେ, ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ସମୁଦାୟ ୧.୯୬% ହାରରେ ରୋଗୀ ଚିହ୍ନଟ ହୋଇଥିବା ବେଳେ; ବାର୍ଷିକ ହାର ୧୯.୬୧% ରୋଗୀଙ୍କର ଚିହ୍ନଟ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତ ଅଧିକାରୀ ମାନଙ୍କୁ ଏହି ସଚେତନତା ଅଭିଯାନ ପାଇଁ ସୂଚନା, ଶିକ୍ଷା ଓ ମନୋରଂଜନ ଭିତ୍ତିରେ କାର୍ଯ୍ୟକ୍ରମ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଇତ୍ୟବସରରେ ଜିଲ୍ଲାପାଳ ଡୋର୍ ଟୁ ଡୋର୍ ସଚେତନତା ପାଇଁ ଅଧିକ ପ୍ରଧ୍ୟାନ୍ୟ ଦେବାପାଇଁ ଏବଂ ସମସ୍ତ ସଚେତନତା ଅଭିଯାନ ସମସ୍ତ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଟେଲିଭିଜନ, ସୋସିଆଲ ମିଡ଼ିଆ ସହିତ ରେଡ଼ିଓ ବାର୍ତ୍ତା ପ୍ରେରଣ ପାଇଁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସମନ୍ୱୟ ସମିତିର ବିଭିନ୍ନ ଅଧିକାରୀ ଯଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଜ୍ୟୋତ୍ସ୍ନା ମହାନ୍ତି, ସହକାରୀ ପରିଚଳିକା (ଜାତୀୟ ସ୍ୱାସ୍ଥ୍ୟ ମିଶନ), ଶିକ୍ଷା ବିଭାଗ ପକ୍ଷରୁ ଶ୍ରୀ ନିରଞ୍ଜନ ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ ଉପସ୍ଥିତ ଥିବା ସୂଚନା ପ୍ରକାଶ।