Photo For The News Of Gohira

ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ପାଲଟିଛି ସାତସପନ : ଗୋହିରା ଗାଁରେ ବିକାଶ ଅପହଂଚ 

State

ଆଗରପଡ଼ା : ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଗୋହିରା ଗାଁ ଠାରେ । ଏଠି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲଟିଛି ସାତ ସପନ । ନିର୍ବାଚନୀ ପ୍ରତିଶୃତି ପ୍ରତିଶୃତିରେ ରହିଯାଇଥିବା ବେଳେ । କାଗଜ କଲମରେ ସୀମିତ ରହିଯାଇଛି ପ୍ରଧାନମନ୍ତ୍ରୀ ସଡ଼କ ଘୋଷଣା । ଗୋହିରା ଗାଁର ଲୋକସଂଖ୍ୟା ପାଖାପାଖି ୭୫୦ ହୋଇଥିବା ବେଳେ ତନ୍ନମଧ୍ୟରୁ ଭୋଟର ସଂଖ୍ୟା ପାଖାପାଖି ୪୫୦ । ମାତ୍ର ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ । ସରମରା ଗାଁରୁ ଠାରୁ ଲମ୍ବିଥିବା ମାଟି ରାସ୍ତାରେ ପ୍ରାୟ ୮୦୦ମି ଗଲାପରେ ଏହି ଗାଁ ପଡ଼େ । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ନୁହେଁ । ଚାଷଜମି ମଧ୍ୟରେ ୨/୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରିଥାନ୍ତି । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି । ଏହି ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ ତଥା କଲେଜକୁ ଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ଋତୁ ରେ ଏହି ଗାଁ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥାଏ । ଗମନାଗମନ ସମସ୍ୟା ଯୋଗୁଁ ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ଉକ୍ତ ଗାଁ ଭିତରକୁ ପ୍ରବେଶ କରିବା ଅସମ୍ଭବ ହୋଇପଡ଼ିଥାଏ । ଅପର ପକ୍ଷରେ କେନାଲ ରାସ୍ତା ଉକ୍ତ ଗାଁ କୁ ସଂଯୋଗ କରୁଥିଲେ ମଧ୍ୟ ମରାମତି ଅଭାବରୁ ତାର ଅବସ୍ଥା ମଧ୍ୟ ଶୋଚନୀୟ । ସୂଚନା ଅନୁଯାୟୀ ବନ୍ତ ବ୍ଲକ ଜିରିଣା ଗ୍ରାମରୁ ଏକ ପ୍ରଧାନମନ୍ତ୍ରୀ ସଡ଼କ ସରମରା ଗ୍ରାମକୁ ଭାୟା ଗୋହିରା ଦେଇ ନିର୍ମାଣ ହେବାର ଘୋଷଣାକୁ ଇତି ମଧ୍ୟରେ ବହୁ ବର୍ଷ ବିତିଯାଇଥିବାରୁ ଉକ୍ତ ଘୋଷଶା କାଗଜ କଲମରେ ସୀମିତ ରହିଯାଇଥିବାର ଜଣାପଡ଼ିଛି । ତେଣୁ ଉକ୍ତ ଗ୍ରାମକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ସହା ଲାଗି ରହିଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି ।