Img 20240204 Wa0145

ବାରିପଦା ବ୍ଲକ ସ୍ତରୀୟ ଭାଷା, ସାହିତ୍ୟ ଉତ୍ସବ ଅନୁଷ୍ଠିତ

State

ବାରିପଦା :  ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ସ୍ତରୀୟ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ଓଡ଼ିଆ ଭାଷାକୁ ମା ପରି ଭଲ ପାଇବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ I ତତସହିତ ନିଜ ଲିଖିତ ଜଗନ୍ନାଥଙ୍କ ଉପରେ ଏକ ହୃଦୟସ୍ପର୍ଶୀ କବିତା ଗାନ କରିଥିଲେ I ଏହି ଉତ୍ସବରେ ବାରିପଦା ବ୍ଲକ ଓ ମ୍ୟୁନିସିପାଲିଟିର ୧୩ ଟି କ୍ଲଷ୍ଟରର ପ୍ରାୟ ୧୦୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ I ସେମାନଙ୍କ ମଧ୍ୟରୁ ଜୁନିଅର ଚିତ୍ରାଙ୍କନରେ ରାଧାରାଣୀ ଓ ଦୟାଭାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏମ ସାଇ ଜ୍ୟୋତି, ସିନିଅରରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶିଷ ବିଶ୍ୱାଳ, ଜୁନିଅର କୁଇଜରେ ଦେଉଳସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଦିପ୍ତିମୟୀ ମାଲାକାର, ସିନିଅରରେ ଓ ଏ ଭି, ରାଣୀଭୋଳର ଦିବ୍ୟଜ୍ୟୋତି ଚୌହାନ, ତର୍କ ପ୍ରତିଯୋଗିତାରେ ଏମ କେ ସି ଉଚ୍ଚ ବିଦ୍ୟାଳୟର ଜୟଦେବ ଦେ, ତଥା ପ୍ରଦର୍ଶନୀରେ ଓ ଏ ଭି, ରାଣୀଭୋଲର ଅଭିନବ ଷଡ଼ଙ୍ଗୀ ଓ ଜୟଶ୍ରୀ ବିନ୍ଧାଣି ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ବିଶ୍ୱ ଭାଷା ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି I

ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ ପୁରସ୍କାର ବିତରଣ କରିଥିଲେ I ପୁରସ୍କାର ବିତରଣ ମଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ଓ ତପସ୍ୱିନୀ ଦାଶ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ପ୍ରମୁଖ ଉପସ୍ଥିତ ଥିଲେ I ଗୌତମ ଦାସ, ଗଣେଶ ବେହେରା, ସୌମ୍ୟ ଦାଶ, ସମସ୍ତ ସି ଆର ସି ସି ତଥା ହଷ୍ଟେଲର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I ଆସନ୍ତା କାଲି ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ I