Img 20240201 Wa0179

ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚିତ୍ର ମହୋତ୍ସବରେ ଚମକିଲେ ମୟୁରଭଞ୍ଜର କୁନି କଳାକାର ତୁଫାନ

Religion and Cult State

ବାରିପଦା : କୋଲକାତା ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚିତ୍ର ମହୋତ୍ସବରେ ବାରିପଦାର ଦୀପକ କୁମାର ବେଶ୍ରାଙ୍କ ନିର୍ଦ୍ଦେଶିତ ସାନ୍ତାଳୀ କ୍ଷୁଦ୍ର ଚଳଚିତ୍ର ପପାୟା ଶ୍ରେଷ୍ଠ ସାନ୍ତାଳୀ ଚଳଚିତ୍ର ଭାବେ ପୁରସ୍କୃତ ହୋଇଛି I ଏହି ଚଳଚିତ୍ରରେ ଅଭିନୟ କରିଥିବା ତୁଫାନ ସୋରେନ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ୩୪ ଟି ଦେଶ ସମେତ ୨୭୦ କ୍ଷୁଦ୍ର ଚଳଚିତ୍ର ମଧ୍ୟରୁ ପପାୟା ଶ୍ରେଷ୍ଠ ଚଳଚିତ୍ର ଭାବେ ପୁରସ୍କୃତ ହୋଇଥିବାରୁ ନିର୍ଦ୍ଦେଶକ ଓ କଳାକାରଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି I ବାରିପଦା ବ୍ଲକ ଅନ୍ତର୍ଗତ ବଡ଼ବିଲା ଗ୍ରାମର ପିତା ରାଜୀବ ସୋରେନ ଓ ମାତା ଶାର ସୋରେନଙ୍କ ପୁତ୍ର ତୁଫାନ ବର୍ତ୍ତମାନ ତାଳଡିହା କଲୋନୀସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ର I

ଏହି ଖବର ପାଇ ବିଦ୍ୟାଳୟ ତଥା ଆଖପାଖ ଅଂଚଳରେ ଆନନ୍ଦର ଲହରୀ ଖେଳି ଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉପମା ସେନାପତି ତାଙ୍କ ବିଦ୍ୟାଳୟ ପାଇଁ ତୁଫାନ ଗୌରବ ଆଣିଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି I ଶିକ୍ଷାର ଅଭାବ ହେତୁ ଜଣେ ପିଲା କିପରି ଏକ ସାଧାରଣ ଅମୃତଭଣ୍ଡା ପାଇଁ ସଂଘର୍ଷ କରେ ତାହା କାହାଣୀର ବିଷୟବସ୍ତୁ ବୋଲି ନିର୍ଦ୍ଦେଶକ ଶ୍ରୀ ବେଶ୍ରା ଜଣାଇଛନ୍ତି I ପ୍ରକାଶ ଥାଉକି ଶ୍ରୀ ବେଶ୍ରାଙ୍କ ସାନ୍ତାଳୀ କ୍ଷୁଦ୍ର ଚଳଚିତ୍ର ଦୁଲାର ଦାରହା, ସେକ୍ରେଡ଼ ଗୁଲାଚି, ମୋହତ ଓ ତେଲୁଗୁ କ୍ଷୁଦ୍ର ଚଳଚିତ୍ର ମାଲାପୁ ଏହା ପୂର୍ବରୁ ବ୍ରାଜିଲ, କୋଲକାତା ସମେତ ବିଭିନ୍ନ ଉତ୍ସବରେ ପୁରସ୍କୃତ ହୋଇସାରିଛି I