Capture 2 750x430 1.jpg

ଅବସର ପୂର୍ବରୁ ବାରାଣସୀ ବିଚାରପତିଙ୍କ ଶେଷ ରାୟ ଥିଲା ଜ୍ଞାନବାପିରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବା

National & International

Capture-2-750x430

ବାରାଣସୀ: ବାରାଣସୀର ଜ୍ଞାନବାପି ମସଜିଦରେ ହିନ୍ଦୁ ପକ୍ଷଙ୍କୁ ପୂଜାପାଠ ପାଇଁ ଅନୁମତି ଦେବା ବିଚାରପତିଙ୍କ କ୍ୟାରିୟରର ଅନ୍ତିମ ରାୟ ଥିଲା। ଅବସର ପୂର୍ବରୁ ବାରାଣସୀ ଜିଲ୍ଲା ଓ ସେସନ ଜଜ୍‌ ଡକ୍ଟର ଅଜୟ କ୍ରିଷ୍ଣା ବିଶ୍ୱେଶାଙ୍କ ପାଇଁ ଗତକାଲି ଥିଲା ଶେଷ କାର୍ଯ୍ୟ ଦିବସ।
୧୯୬୪ ମସିହାରେ ହରିଦ୍ୱାରରେ ଜନ୍ମଗ୍ରହଣ କରିଥିବା ଡାକ୍ତର ବିଶ୍ୱେଶା ବିଜ୍ଞାନରେ ସ୍ନାତକ ଓ ଆଇନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ୧୯୯୦ ମସିହାରେ ସେ ନ୍ୟାୟିକ ସେବାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ବୁଲନ୍ଦସହରରେ ଜିଲ୍ଲା ଓ ସେସନ ଜଜ୍‌ ଏବଂ ଉତ୍ତରପ୍ରଦେଶର ଅନେକ ନ୍ୟାୟିକ ପଦବୀରେ କାର୍ଯ୍ୟ କରିଛନ୍ତି।
ଜ୍ଞାନବାପି ଆଇନଗତ ଲଢ଼େଇର ଏକ ପ୍ରମୁଖ ଘଟଣା ଭାବେ ବିବେଚନା କରାଯାଉଥିବା ଏକ ରାୟରେ ବାରାଣସୀ ଅଦାଲତ ହିନ୍ଦୁ ପୁରୋହିତଙ୍କ ପରିବାରର ସଦସ୍ୟମାନଙ୍କୁ ୩୦ ବର୍ଷରୁ ଅଧିକ ସମୟ ଧରି ସିଲ୍‌ ହୋଇଥିବା ଜ୍ଞାନବାପି ପରିସର ଭିତରେ ଥିବା ଏକ କୋଠରିରେ ପୂଜାପାଠ କରିବାକୁ ଅନୁମତି ଦେଇଛନ୍ତି। ସପ୍ତଦଶ ଶତାବ୍ଦୀର ଏହି ମସଜିଦରେ ୪ଟି କୋଠରି ରହିଛି। ଯେଉଁ କୋଠରିରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦିଆଯାଇଛି ତାହାକୁ ‘ବ୍ୟାସ ଜୀ କା ତେହଖାନା’ କୁହାଯାଏ।
ଆବେଦନକାରୀ ଶୈଳେନ୍ଦ୍ର ପାଠକ ବ୍ୟାସ କହିଛନ୍ତି ଯେ ତାଙ୍କ ପରିବାର ପିଢ଼ି ପରେ ପିଢ଼ି ଧରି ଏହି କୋଠରିରେ ମୂର୍ତ୍ତି ପୂଜା କରି ଆସୁଛନ୍ତି। ଆବେଦନକାରୀ ଆହୁରି ମଧ୍ୟ କହିଛନ୍ତି ଯେ ୧୯୯୩ ମସିହାରେ ମୁଲାୟମ ସିଂହ ଯାଦବ ମୂର୍ତ୍ତିଗୁଡ଼ିକୁ ସିଲ୍‌ କରିବା ପର୍ଯ୍ୟନ୍ତ ତାଙ୍କ ଜେଜେବାପା ସୋମନାଥ ବ୍ୟାସ ନିୟମିତ ଭାବରେ ସେଠାରେ ମୂର୍ତ୍ତି ପୂଜା କରୁଥିଲେ। ବାବ୍ରୀ ମସଜିଦ ଭଙ୍ଗା ପରେ ଆଇନ ଶୃଙ୍ଖଳା ଆଶଙ୍କା ଦର୍ଶାଇ ମୁଲାୟମ ସିଂହ ଯାଦବ ସରକାର ଏହି ପରିସରକୁ ସିଲ୍‌ କରିଥିଲେ। ଶୁଣାଣି ସମୟରେ ମୁସଲମାନ ପକ୍ଷ କହିଥିଲେ ଯେ ଆବେଦନକାରୀ ସେଠାରେ ପୂଜା କରୁଥିବା ନେଇ ନେଇ କୌଣସି ପ୍ରମାଣ ନାହିଁ କିମ୍ବା କୌଣସି ମୂର୍ତ୍ତି ନାହିଁ ବୋଲି ଦାବି କରିଥିଲେ। ଏବେ ସେମାନେ ଜିଲ୍ଲା ଅଦାଲତଙ୍କ ରାୟକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।
ଗତକାଲିର ରାୟ ଆସିବାର କିଛି ଘଣ୍ଟା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜ୍ଞାନବାପି ମସଜିଦ ପରିସରରୁ ସିଲ୍‌ ଉଚ୍ଛେଦ କରାଯିବା ସହ ଆଜି ଭୋର ପ୍ରାୟ ୩ଟାରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ବ୍ୟାସ ପରିବାରର ସଦସ୍ୟ ଜିତେନ୍ଦ୍ର ନାଥ ବ୍ୟାସ କହିଛନ୍ତି ଯେ ପୂଜା ସମୟରେ କାଶୀ ବିଶ୍ୱନାଥ ମନ୍ଦିରର ୫ ଜଣ ପୂଜକ, ସେମାନଙ୍କ ପରିବାର ସଦସ୍ୟ ଏବଂ ଜିଲ୍ଲାର ଶୀର୍ଷ ଅଧିକାରୀମାନେ ଉପସ୍ଥିତ ଥିଲେ।