Onn 3

ଯୌନ ନିର୍ଯାତନାର ଶିକାର ମହିଳା ବିଚାରପତି: ଆତ୍ମହତ୍ୟା ପାଇଁ ସିଜେଆଇଙ୍କ ଅନୁମତି ଲୋଡ଼ିଲେ

National & International

 

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜଣେ ମହିଳା ବିଚାରପତି ଜିଲ୍ଲା ଜଜ୍ ଓ ତାଙ୍କର ଅନ୍ୟ ସହଯୋଗୀଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ତାଙ୍କର ଆଉ ବଞ୍ଚିବାକୁ ଆଗ୍ରହ ନାହିଁ। ସେ ଆତ୍ମହତ୍ୟା କରିବାକୁ ଚାହୁଛନ୍ତି। ଏଥିପାଇଁ ତାଙ୍କୁ ଅନୁମତି ଦିଆଯାଉ ବୋଲି ପ୍ରଧାନବିଚାରପତିଙ୍କୁ ନିବେଦନ କରିଛନ୍ତି। ଏ ନେଇ ଏକ ଖୋଲା ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ରିପୋର୍ଟ ମାଗିଛନ୍ତି।
ଦୟାକରି ମୋତେ ସମ୍ମାନଜନକ ଢଙ୍ଗରେ ଜୀବନ ଶେଷ କରିବାକୁ ଅନୁମତି ଦିଅନ୍ତୁ। ବାରାବାଙ୍କୀରେ ଜଣେ ଜିଲ୍ଲା ଜଜ୍ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆଣି ବାନ୍ଦାର ମହିଳା ବିଚାରପତି ଜଣକ ପ୍ରଧାନବିଚାରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଲେଖିଛନ୍ତି। ମୋତେ ଅଳିଆ ପରି ବ୍ୟବହାର କରାଯାଇଛି। ମୋତେ ଏକ ଅବାଞ୍ଛିତ କୀଟ ଭଳି ଲାଗୁଛି ବୋଲି ମହିଳା ବିଚାରପତି ଜଣକ ତାଙ୍କ ବହୁଳ ପ୍ରସାରିତ ଚିଠିରେ ଲେଖିଛନ୍ତି। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ନିର୍ଦ୍ଦେଶକ୍ରମେ ସୁପ୍ରିମକୋର୍ଟର ସେକ୍ରେଟାରି ଜେନେରାଲ ଅତୁଲ ଏମ୍ କୁରହେକର ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖି ମହିଳା ବିଚାରପତିଙ୍କ ସମସ୍ତ ଅଭିଯୋଗର ସ୍ଥିତି ସମ୍ପର୍କରେ ଆଜି ସକାଳ ସୁଦ୍ଧା ରିପୋର୍ଟ ମାଗିଛନ୍ତି। ଗତରାତିରେ ସେକ୍ରେଟାରି ଜେନେରାଲଙ୍କୁ ଫୋନ୍ ଯୋଗେ ଅବଗତ କରାଯାଇଥିଲା ଯେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମଧ୍ୟ ଏହି ଖୋଲା ଚିଠି ପ୍ରସଙ୍ଗକୁ ସଜ୍ଞାନକୁ ନେଇଛନ୍ତି।
ମହିଳା ବିଚାରପତି ତାଙ୍କ ଚିଠିରେ ଲେଖିଛନ୍ତି ଯେ ୨୦୨୩ ଜୁଲାଇରେ ସେ ହାଇକୋର୍ଟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ତଦନ୍ତ ଏକ ପ୍ରହସନ ଓ ଛଳନା ଥିଲା। ତଦନ୍ତରେ ସାକ୍ଷୀମାନେ ଜିଲ୍ଲା ଜଜ୍‌ଙ୍କ ଅଧୀନରେ ସିଧାସଳଖ କାମ କରୁଥିଲେ। ସେହି ସାକ୍ଷୀମାନେ କିପରି ସେମାନଙ୍କ ଉଚ୍ଚ ଅଧିକାରୀଙ୍କ ବିରୋଧରେ ସାକ୍ଷ୍ୟ ଦେବା ନେଇ କମିଟି ଆଶା କରୁଛି ତାହା ମୋର ବୁଝାମଣା ବାହାରେ। ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା ପାଇଁ ତଦନ୍ତ ପର୍ଯ୍ୟନ୍ତ ବିଚାରପତିଙ୍କ ବଦଳି ପାଇଁ ସେ ଅନୁରୋଧ କରିଥିଲେ। କିନ୍ତୁ ମାତ୍ର ୮ ସେକେଣ୍ଡରେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ଜଜ୍‌ଙ୍କୁ ବଦଳି କରିବାକୁ ମୁଁ କେବଳ ଅନୁରୋଧ କରିଥିଲି। ସର୍ବନିମ୍ନ ପ୍ରାର୍ଥନାକୁ ଗୁରୁତ୍ବ ଦିଆଯାଉ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ମୋର ଆଉ ବଞ୍ଚିବା ପାଇଁ ଇଚ୍ଛା ଶକ୍ତି ନାହିଁ । ଗତ ଦେଢ଼ ବର୍ଷ ମଧ୍ୟରେ ମୋତେ ଏକ ଚଳନ୍ତା ମୃତଦେହରେ ପରିଣତ କରାଯାଇଛି । ଏହି ଆତ୍ମାହୀନ ଓ ପ୍ରାଣହୀନ ଶରୀରକୁ ଆଉ ଚାରିଆଡ଼େ ବୋହି ନେବାର କୌଣସି ଉଦ୍ଦେଶ୍ୟ ନାହିଁ। ମୋ ଜୀବନର କୌଣସି ଉଦ୍ଦେଶ୍ୟ ବାକି ନାହିଁ ବୋଲି ବିଚାରପତି ଜଣକ ତାଙ୍କର ଦୁଇ ପୃଷ୍ଠାର ଚିଠିରେ ଲେଖିଛନ୍ତି।