Jmm 1706792927.jpg

ରାଜ୍ୟପାଳଙ୍କୁ ଭେଟିଲେ ଚମ୍ପାଇ ସୋରେନ, କିନ୍ତୁ ଶପଥ ଉତ୍ସବ ପାଇଁ ଏଯାଏ ମିଳିନି ସମୟ

National & International

JMM_1706792927

ରାଞ୍ଚି : ଝାରଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟରେ ନୂଆ ଟ୍ୱିଷ୍ଟ ଆସିଛି। ସରକାର ଗଠନ ପାଇଁ ଜେଏମଏମର ବରିଷ୍ଠ ନେତା ଚମ୍ପାଇ କାଲି ଠାରୁ ଦାବି କରି ଆସୁଥିଲେ ହେଁ ତାଙ୍କୁ ଏଯାଏ ଏଥିପାଇଁ ସମୟ ମିଳିନି। ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ଇଡି ତାଙ୍କୁ ଗିରଫ କରିଥିଲା।
ଏହାପରେ ଜେଏମମର ବରିଷ୍ଠ ନେତା ଚମ୍ପାଇ ସୋରେନ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ଏପରି କି ସେ ବୁଧବାର ରାଜ୍ୟପାଳଙ୍କୁ ଭେଟି ତାଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଥିବା କହିଥିଲେ। ତଥାପି ରାଜ୍ୟପାଳ ତାଙ୍କୁ ଅପେକ୍ଷା କରାଇଥିଲେ। ସରକାର ଗଠନରେ ବିଳମ୍ବ ହେଉଥିବାରୁ ଆଜି ସେ ପୁଣିଥରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ଭେଟି ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇଛନ୍ତି।
ଏଥିସହ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ଥିବା ରାଜ୍ୟପାଳଙ୍କୁ କହିଛନ୍ତି। ସରକାର ଗଠନ ପାଇଁ ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କରନ୍ତୁ ବୋଲି ମଧ୍ୟ ସେ ଅନୁରୋଧ କରିଛନ୍ତି।
ରାଜ୍ୟପାଳ ତାଙ୍କ ସହ ସରକାର ଗଠନ ବିଷୟରେ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି। ତଥାପି ଶପଥ ପାଠ ପାଇଁ ସମୟ କିମ୍ବା ଦିନ ଧାର୍ଯ୍ୟ କରି ନାହାନ୍ତି ରାଜ୍ୟପାଳ ରାଧାକ୍ରିଷ୍ଣନ। ଖୁବଶୀଘ୍ର ସେ ସମୟ ଓ ଦିନ ସମ୍ପର୍କରେ ଘୋଷଣା କରିବେ ବୋଲି ଚମ୍ପାଇ ସୋରେନଙ୍କୁ କହିଛନ୍ତି।
ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ଚମ୍ପାଇ ସୋରେନ ଓ ଜେଏମମ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଚମ୍ପାଇ ସୋରେନଙ୍କ ସହ ୪୩ ଜଣ ବିଧାୟକ ରହିଥିବା ଗୋଟିଏ ଭିଡିଓ ମଧ୍ୟ ଜେଏମଏମ ଜାରି କରିଛି। ଚମ୍ପାଇ ସୋରେନଙ୍କ ସମର୍ଥନରେ ବିଧାୟକମାନେ ରାଜ୍ୟ ସର୍କିଟ ହାଉସରେ ରହିଥିବା ଜେଏମମ କହିଛି।
ବିଧାୟକଙ୍କ ସମର୍ଥନ ଥିବାରୁ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଭେଟିଥିଲେ। ହେଲେ ରାଜ୍ୟପାଳ ତାଙ୍କୁ ଏଯାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିମନ୍ତ୍ରଣ କରି ନାହାନ୍ତି। ଅବଶ୍ୟ ରାଜ୍ୟପାଳ ଝାରଖଣ୍ଡରେ ଚମ୍ପାଇ ସୋରେନ ସରକାର ଗଠନ କରିବେ ବୋଲି ରାଜି ହୋଇଛନ୍ତି।
ରାଜ୍ୟପାଳଙ୍କୁ ଭେଟିବା ପରେ ଚମ୍ପାଇ ସୋରେନ କହିଛନ୍ତି, “୨୨ ଘଣ୍ଟା ହେଲାଣି ଆମେ ସରକାର ଗଠନ ପାଇଁ ଦାବି କରୁଛୁ। ଆମ ପାଖରେ ସଂଖ୍ୟା ଗରିଷ୍ଠତା ଥିବା ମଧ୍ୟ ଆମେ କହି ସାରିଛୁ। ରାଜ୍ୟପାଳ ସରକାର ଗଠନ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି।”
ଆଜି ଅପରାହ୍ନରେ ଚମ୍ପାଇ ସୋରେନଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ଆଲମଗିର ଆଲାମ, ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକଟା, ସିପିଆଇ(ଏମଏଲ)ର ବିଧାୟକ ବିନୋଦ ସିଂହ ଓ ପ୍ରଦୀପ ଯାଦବ ମଧ୍ୟ ରାଜ୍ୟପାଳଙ୍କୁ ଭେଟିଛନ୍ତି।
ହେମନ୍ତ ସୋରେନଙ୍କ ସହ ମିଶି ଯେଉଁମାନେ ସରକାର ଗଠନ କରିଥିଲେ ସେମାନେ ସମସ୍ତେ ଚମ୍ପାଇ ସୋରେନଙ୍କ ସହ ମଧ୍ୟ ରହିଛନ୍ତି ବୋଲି ସବୁ ଦଳ ପକ୍ଷରୁ ଗୋଟିଏ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି।