Onn 3

ବିନା ଅନୁମତିରେ ଦିଲ୍ଲୀ-ବାକୁ ବିମାନ ଉଡ଼ାଣ ଭରିବାରୁ ଇଣ୍ଡିଗୋର ପାଇଲଟ ନିଲମ୍ବିତ

National & International

Capture-26-750x430

ନୂଆଦିଲ୍ଲୀ: ଦିଲ୍ଲୀରୁ ଆଜରବାଇଜାନର ରାଜଧାନୀ ବାକୁ ଯାଉଥିବା ଇଣ୍ଡିଗୋ ବିମାନର ପାଇଲଟମାନଙ୍କୁ ବିମାନ ଉଡ଼ାଣରୁ ହଟାଇ ଦିଆଯାଇଛି ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଆବଶ୍ୟକ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଅନୁମତି ବିନା ଉଡ଼ାଣ ଭରିଛି କି ନାହିଁ ତାହାର ତଦନ୍ତ କରୁଛି।

ରିପୋର୍ଟରୁ ପ୍ରକାଶ, ଜାନୁଆରି ୨୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୩୮ମିନିଟରେ ଆଜରବାଇଜାନର ରାଜଧାନୀ ବାକୁ ଅଭିମୁଖେ ଉଡ଼ାଣ ଭରିଥିଲା। ଇଣ୍ଡିଗୋ କହିଛି ଯେ ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ଏବଂ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ କିଛି ଦିନ ମଧ୍ୟରେ ଇଣ୍ଡିଗୋ ସହ ଜଡ଼ିତ ଏକାଧିକ ଘଟଣା ଏବଂ ବିମାନ ଚଳାଚଳ ସଂସ୍ଥା ଦ୍ୱାରା ଏୟାରଲାଇନ୍‌ସ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏହା ଘଟିଛି। କିଛି ଦିନ ପୂର୍ବେ ବିଳମ୍ବିତ ବିମାନକୁ ଅପେକ୍ଷା କରି ଯାତ୍ରୀମାନେ ଟାର୍ମାକ୍‌ରେ ବସି ଖାଦ୍ୟ ଖାଉଥିବା ଦେଖିବା ପରେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍‌) ଇଣ୍ଡିଗୋ ଉପରେ ୧.୨ କୋଟି ଟଙ୍କାର ଜରିମାନା ଲଗାଇଥିଲା।

ଗତ କିଛି ସପ୍ତାହ ଧରି ଇଣ୍ଡିଗୋ ଯାତ୍ରୀମାନେ ସେମାନଙ୍କର ଯାତ୍ରାକାଳୀନ ଦୁଃଖଦ ଅନୁଭୂତି ସାମାଜିକ ଗଣମାଧ୍ୟମରେ ସେୟାର କରି ଆସୁଛନ୍ତି। ସେମାନେ ଅଯଥା ବିମାନ ବାତିଲ, ଅଯଥା ବିଳମ୍ବ ଏବଂ ଯାତ୍ରା କାଳୀନମାନକ ପୂରଣ ନକରିବା ପାଇଁ ଏୟାରଲାଇନ୍‌ସଗୁଡ଼ିକୁ ସମାଲୋଚନା କରୁଛନ୍ତି। ଏପରିସ୍ଥିତରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି।