Onn 3

ବଣୁଆଙ୍କୁ ଆବାସ ପ୍ରଦାନ ପାଇଁ ପ୍ରଶାସନିକ ତତ୍ପରତା

State

ଆଗରପଡ଼ା :ଗତ ଅକ୍ଟୋବର ମାସରେ ବଣୁଆଙ୍କୁ ପ୍ରଶାସନିକ ଅବହେଳା ଯୋଗୁଁ ଆବାସ ମିଳୁନଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ପଂଚାୟତ ସମିତି ବନ୍ତ ଚିଠି ନଂ୨୨୪/୧୮.୦୧.୨୦୨୪ରେ ବ୍ଲକ ଉନ୍ନୟନ ଅଧିକାରୀ,ଜିଲ୍ଲା ମୁଖ୍ୟ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,ଭଦ୍ରକଙ୍କୁ ବଣୁଆଙ୍କୁ ଆବାସ ଯୋଗାଇଦେବା ପାଇଁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉକି; ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ତାଜିପୁର ଗ୍ରାମ ଆଦିବାସୀ ସାହିରେ ବଣୁଆଙ୍କ ଘର । ବଣୁଆ ମୁଣ୍ଡା ଜଣେ ଜନଜାତି ସଂପ୍ରଦାୟର ବ୍ୟକ୍ତି ହେବା ସହ ଦିନମଜୁରିଆ ଭାବେ କାର୍ଯ୍ୟକରି ପରିବାର ଚଳାନ୍ତି । ପ୍ରତିଦିନ ଦୁଇ ମୁଠା ପେଟ ପୁରା ଦାନା ମିଳିବା ତାଙ୍କ ପରିବାର ପକ୍ଷେ ସମ୍ଭବପର ହୋଇପାରେ ନାହିଁ । ସେ ରହୁଥିବା ନୂଆଣିଆ ଚାଳଘରକୁ ପ୍ରତିବର୍ଷ ଛାଉଣି କରବାବି କଷ୍ଟ କର ହୋଇଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖିବା ତାଙ୍କ ପକ୍ଷେ ସାଧାରଣ କଥା । ଏପରିକି ଘରେ ପାଣି ଚାଲୁଥିବାରୁ ଛପର ଉପରେ ପଲିଥିନ ବନ୍ଧା ଯାଇଛି । ଏତେ ଦୁଃସ୍ଥିତିରେ ଥିଲେବି ପକ୍କାଘର ଖଣ୍ଡିଏ ସେ ପାଇପାରିନାହାନ୍ତି । ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ବ୍ଲକକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି । ୨୦୨୦-୨୧ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକାଶିତ ହିତାଧିକାରୀ ତାଲିକାରେ ବଣୁଆଙ୍କ କ୍ରମିକ ସଂଖ୍ୟା ୪୭ ଏବଂ ଅଗ୍ରାଧିକାର ଭିତ୍ତିରେ ମିଳିଥିବା କ୍ରମିକ ସଂଖ୍ୟା ୯ଥିବାବେଳେ ତାଙ୍କ ଆଇଡ଼ି ନଂ୨୫୩୩୧୮୭ ଥିଲା । ସେ ସବୁ ଦୃଷ୍ଟି କୋଣରୁ ଆବାସ ପାଇବାକୁ ଯୋଗ୍ୟ ଥିବାବେଳେ ପରବର୍ତ୍ତି ମୁହୁର୍ତ୍ତରେ ତାଙ୍କୁ ଭୂମିହିନ ଦର୍ଶାଇ ଏଥିରୁ ବଂଚିତ କରାଯାଇଥିଲା । କିନ୍ତୁ ପ୍ରକୃତପକ୍ଷେ ବଣୁଆ ଜଣେ ପଟ୍ଟାଧାରୀ ହିତାଧିକାରୀ ।

ସରକାରଙ୍କ ତରଫରୁ ମିଳିଥିବା ପଟ୍ଟା ଅନୁଯାୟୀ ବଣୁଆଙ୍କ ଖତିୟାନ ନଂ୨୬୩/୬୮ ଥିବା ଜଣାପଡ଼ିଥିଲା । ଏହି ଖବର ଗତ୨୦୨୧ ଜୁଲାଇ ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ବଣୁଆ ମୁଣ୍ଡା ପ୍ରକୃତରେ ଗୃହ ପାଇବାକୁ ଯୋଗ୍ୟ ଏବଂ ଭୁଲବଶତଃ ତାଙ୍କ ନାମ ପିଡ଼ବ୍ଲ୍ୟଏଲ କିମ୍ବା ହିତାଧିକାରୀ ତାଲିକାରୁ କଟିଯାଇଥିଲା ଏବଂ ତାଙ୍କୁ ଖୁବଶୀଘ୍ର ଘର ମିଳିବାର ସବୁ ବନ୍ଦୋବସ୍ତ କରାଯାଇଥିବାର ସୂଚନା ଜିଲ୍ଲାପାଳଙ୍କ ଟ୍ୱିଟର ପେଜରୁ ଜଣାପଡ଼ିଥିଲା । ଘଟଣାକୁ ଇତି ମଧ୍ୟରେ ୨ବର୍ଷ ବିତିଯାଇଥିଲେ ସୁଦ୍ଧା ବଣୁଆଙ୍କୁ ଆବାସ ମିଳିବାର ପ୍ରକ୍ରିୟା କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଜଣା ପଡ଼ିଥିଲା । ଉକ୍ତ ସମସ୍ୟାକୁ ନେଇ ଗତ ବର୍ଷ ଜୁଲାଇ ମାସରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶ ପାଇବା ପରେ ବିକାଶ ଧଳ ନାମକ ଜନୈକ ସୂଚନା ଅଧିକାର କର୍ମୀ ସୂଚନା ଅଧିକାର ଆଇନ ବଳରେ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ କାର୍ଯ୍ୟାଳୟ ଚିଠି ନଂ ୧୭୧୬/୧୨.୦୭.୨୦୨୩ରେ ଗୋପିନାଥପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତଦନ୍ତ କରି ଯଥା ଶୀଘ୍ର ଏହାର ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏବଂ ତାଙ୍କ ନିର୍ଦ୍ଦେଶାନୁସାରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଚନ୍ଦ୍ର ରାଉତ ଗତ ଅଗଷ୍ଟ ମାସ ୬ ତାରିଖରେ ବଣୁଆ ଆବାସ ପାଇବା ପାଇଁ ଯୋଗ୍ୟ ବୋଲି ତାଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିବା ସହ କେଉଁ କାରଣରୁ ପୂର୍ବତନ ପିଇଓ ଜୟ ପ୍ରକାଶ ମହାପାତ୍ର ତାଙ୍କ ନାମକୁ ତାଲିକାରୁ କାଟିଥିଲେ ସେ ହିଁ ତାର ଉତ୍ତର ରଖିପାରିବେ ବୋଲି ପ୍ରକାଶ କରିଛନ୍ତି । ତଦନ୍ତ ରିପୋର୍ଟ ପାଇବା ପରେ ବିଡ଼ିଓ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,ଭଦ୍ରକଙ୍କୁ ବଣୁଆଙ୍କୁ ଆବାସ ଯୋଗାଇଦେବା ପାଇଁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଜଣାପଡ଼ିଛି ।